ଅଜଣା ରୋଗରେ ମଲେଣି ୫୦ରୁ ଅଧିକ ଛେଳି

ପୁରୀ: ପୁରୀ ଜିଲ୍ଲା ସମଯାଜପୁର ଗାଁରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ବହୁ ସଂଖ୍ୟକ ଛେଳି ମରିବାରେ ଲାଗିଛନ୍ତି। ଏଯାଏ ୫୦ରୁ ଅଧିକ ଛେଳି ମରିଥିବା ବେଳେ ଅନେକ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ ଗୋଡ଼ ଓ ପରେ ଶରୀର ବିଭିନ୍ନ ଅଂଶରେ ଘା ହୋଇ ଛେଳି ଗୁଡ଼ିକର ମୃତ୍ୟୁ ହେଉଥିବା ଛେଳିପାଳକ ମାନେ କହିଛନ୍ତି। ଏପରିକି ପ୍ରାଣୀ ଚିକିତ୍ସା ଅଧିକାରୀ ଦେଉଥିବା ଇଞ୍ଜେକ୍ସନ ମଧ୍ୟ କାମ ଦେଉନାହିଁ।

କେତେକ ଛେଳିର ଆଖି ମଧ୍ୟ ନଷ୍ଟ ହୋଇଯାଉଛି। କେଉଁ ରୋଗରୁ ଏଭଳି ଛେଳିମାନଙ୍କ ମୃତ୍ୟୁ ଘଟୁଛି କାହାକୁ ଜଣାନାହିଁ। ଗାଁର ପ୍ରାୟ ୫୦ ପରିବାର ଶହଶହ ଛେଳି ପାଳନ କରି ଜୀବିକା ନିର୍ବାହ କରୁଥିବା ବେଳେ ଏବେ ସେମାନେ ଚିନ୍ତିତ ଅଛନ୍ତି।

ଗତ ସପ୍ତାହରେ ପ୍ରବଳ ବର୍ଷା ହେବା ପରେ ଗାଁ ଜଳାର୍ଣ୍ଣବ ହୋଇଥିଲା। ଏବେ ପାଣି ଛାଡ଼ିଯାଇଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ସନ୍ତସନ୍ତିଆ ପରିବେଶ ରହିଛି। ତେଣୁ ଏଭଳି ସ୍ଥିତି ଯୋଗୁଁ ରୋଗ ବ୍ୟାପୁ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

(ପିପିଲିରୁ ଦ୍ୱିତୀକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ)

You might also like