୫ ରାଜ୍ୟର ଫଳାଫଳ ଓଡ଼ିଶା ରାଜନୀତିକୁ କେତେ ପ୍ରଭାବିତ କରିବ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର : ବିଜେପି ଅଫିସ୍ ଖାଁ ଖାଁ। ଉଠୁଛି ପଡୁଛି କଂଗ୍ରେସ କାର୍ଯ୍ୟାଳୟ। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସକୁ ସଫଳତା ମିଳିବା ପରେ ପାର୍ଟି ଅଫିସ୍‌ରେ ସେଲିବ୍ରେସନ୍‌ ଚାଲିଛି। ପାରମ୍ପାରିକ ବାଦ୍ୟର ତାଳେ ତାଳେ ଚାଲିଛି ନାଚ। ମାଷ୍ଟରକାଣ୍ଟିନ ଛକରେ ସାଧାରଣ ଲୋକଙ୍କୁ ମିଠା ବାଣ୍ଟି ବିଜୟ ଉତ୍ସବ ପାଳିଛି କଂଗ୍ରେସ୍।

ତେବେ ବଡ଼ ପ୍ରଶ୍ନ। ୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ୍ କୁହଯାଉଥିବା ଏହି ଫଳାଫଳ ରାଜ୍ୟ ରାଜନୀତିକୁ କେତେଦୂର ପ୍ରଭାବିତ କରିବ? ଲମ୍ବା ସମୟ ଧରି ଓଡ଼ିଶାରେ ନବୀନ ସରକାର ଶାସନ ଗାଦିରେ ଥିବାରୁ ଏଠାରେ ବି ବୋହିବ କି ସରକାର ବିରୋଧୀ ହାଓ୍ୱା? ବିଜେଡି ବିରୋଧରେ ସୃଷ୍ଟି ହେଉଥିବା ଜନମତ ସରକାରକୁ ଅଡୁଆରେ ପକାଇବ କି ? ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା ।

କାରଣ ଛତିଶଗଡରେ ରମଣ ସିଂ ଓ ମଧ୍ୟପ୍ରଦେଶରେ ଶିରାଜ ସିଂ ଚୌହାନ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହି ଆସିଥିଲେ। ଉଭୟଙ୍କର ବେଶ୍ ଲୋକପ୍ରିୟତା ଥିବା ସହ ଦୁହେଁ ବିକାଶକୁ ମୁଦ୍ଦା କରିଥିଲେ। ଏହା ସତ୍ତ୍ୱେ ଦୁଇ ରାଜ୍ୟରେ ବିଜେପିକୁ ହାର୍‌ର ସାମ୍ନା କରିବାକୁ ପଡିଲା। ରାଜନୈତିକ ପଣ୍ଡିତଙ୍କ କହିବା ଅନୁଯାୟୀ, ଶିବରାଜ ଓ ରମଣଙ୍କ ବିରୋଧରେ ଯେତେ ଅସନ୍ତୋଷ ନଥିଲା ତାଠୁ ଢେର୍ ଅଧିକ ମନ୍ତ୍ରୀ ଓ ଶାସକ ବିଧାୟକଙ୍କ ବିରୋଧରେ ଥିଲା।

ଆଉ ଓଡିଶାରେ ବି ସମାନ ସ୍ଥିତି। ନବୀନଙ୍କ ଲୋକପ୍ରିୟତା ଏବେ ରହିଥିଲେ ବି ଶାସକ ବିଧାୟକଙ୍କ ବିରୋଧରେ ତୀବ୍ର ହେଉଛି ଜନ ଅସନ୍ତୋଷ। ତାହା ସହ  ଛତିଶଗଡ ଓ ମଧ୍ୟପ୍ରଦେଶ ଭଳି ଓଡିଶାରେ ବି ଭ୍ରଷ୍ଟାଚାର, ବେକାରୀ ଓ ଚାଷୀ ସମସ୍ୟା ଉତ୍କଟ ହେଲାଣି। ତେଣୁ ଓଡିଶାରେ ବି ଶାସକ ଦଳର ସମାନ ଦଶା ହେବନି ତ ?

ବିଜେପି କହିଛି ଓଡିଶାରେ ବି ଅନ୍ୟ ରାଜ୍ୟ ଭଳି ସ୍ଥିତି ହେବ। କଂଗ୍ରେସ କହିଛି ଏହି ୩ ରାଜ୍ୟର ଫଳାଫଳର ପ୍ରଭାବ ଓଡିଶାରେ ରହିବ। ସେପଟେ ନବୀନଙ୍କ ଉପରେ ପୁଣି ଥରେ ଲୋକେ ଭରସା କରିବେ ବୋଲି ବିଜେଡି ଆଶାବାଦୀ ରହିଛି।

ହିନ୍ଦୀଭାଷୀ ୩ ରାଜ୍ୟର ଫଳାଫଳ ରାଜ୍ୟ ରାଜନୀତିକୁ ନୂଆ ଦିଗ ଦେବ ବୋଲି କୁହାଯାଉଛି। ତେଣୁ ପ୍ରଶ୍ନ ୧୯ ପୂର୍ବରୁ ବିଜେପି ଓ ବିଜେଡିର ସମୀକରଣ ନୂଆ ରୂପ ନେବ କି ? ବିଜେପିର ମିଶନ୍ ୧୨୦ କେତେଦୂର ସଫଳ ହେବ ? ରାଜ୍ୟରେ ଦୁର୍ବଳ ଓ ଗୋଷ୍ଠୀକନ୍ଦଳରେ ଲିପ୍ତ ଥିବା କଂଗ୍ରେସକୁ ଆଜିର ଫଳାଫଳରୁ ମିଳିବ କି ଶିକ୍ଷା। ଏସବୁକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଲମ୍ବା ସମୟ ସରକାରରେ ରହିଲେ ଲୋକଙ୍କ ଅପେକ୍ଷା ବଢ଼େ। ତେଣୁ ଭୋଟର ଫର୍ମମାନ୍ସର ହିସାବନିକାଶ କରିବା ସହ ସୁଯୋଗ ଦେଖି ବାହାର ରାସ୍ତା ବି ଦେଖାଇଦିଅନ୍ତି। ସେଠି ନେତାଙ୍କ ବ୍ୟକ୍ତିତ୍ୱ ବି କାମ ଦିଏନି।  ଆଜିର ଛତିଶଗଡ଼, ମଧ୍ୟପ୍ରଦେଶ ଫଳାଫଳରୁ ମିଳୁଥିବା ଏ ବାର୍ତ୍ତା ବିଜେଡି ସରକାର ପାଇଁ ଚିନ୍ତା କରିବାର ସ୍ଥିତି ଉତ୍ପନ୍ନ କରିଛି।

You might also like