ସ୍କୁଲ ଫେରନ୍ତା ପିଲାଙ୍କୁ ଦଳିଦେଲା ଟ୍ରକ୍
ଭଦ୍ରକ: ଚାହୁଁ ଚାହୁଁ ଚାଲିଗଲା ୫ଟି କଅଁଳ ଜୀବନ। ଏମିତି ଯେ ମୃତ୍ୟୁ ଆସିବ କେହି କେବେ ଚିନ୍ତା ହିଁ କରିନଥିବେ। ସ୍କୁଲ୍ରୁ ଖୁସିରେ ଫେରିବା ବାଟରେ ହିଁ କାଳ ସାଜିଲା ୧୦ ଚକିଆ ଟ୍ରକ୍। ଭଦ୍ରକ ଜିଲ୍ଲା ରାହାଞ୍ଜ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ଣରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ଛୁଟି ପରେ ଛାତ୍ରଛାତ୍ରୀମାନେ ସାଇକେଲରେ ଘରକୁ ଫେରୁଥଲେ। ଏନ୍ଏଚ୍ ପାର୍ ହେଉଥିବା ବେଳେ ସେମାନଙ୍କ ଉପରକୁ ହଠାତ୍ ମାଡ଼ି ଆସିଥିଲା ଏକ ଦ୍ରୁତଗାମୀ ୧୦ ଚକିଆ ଟ୍ରକ୍। ଆଉ ନିମିଷକ ମଧ୍ୟରେ ଶେଷ ହୋଇଯାଇଥିଲା ସବୁ କିଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରକାଶ ପାଇଥିଲା ପ୍ରବଳ ଉତ୍ତେଜନା। ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିବା ସହ ଟ୍ରକ୍ର ପିଛା କରିଥିଲେ। କିଛି ବାଟ ପରେ ଟ୍ରକକୁ ଛାଡ଼ି ଡ୍ରାଇଭର ଓ ହେଲପର ଫେରାର ମାରିଥିବାରୁ ଉତ୍ତ୍ୟକ୍ତ ଲୋକେ ଟ୍ରକରେ ନିଆଁ ଲଗାଇ ଦେଇଥିଲେ। ତାସହ ମୃତଦେହ ଧରି ରାସ୍ତା ଅବରୋଧ କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ଛାତ୍ରଛାତ୍ରୀଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିଭଳି ଆହତ ଛାତ୍ରଛାତ୍ରୀଙ୍କ ମାଗଣା ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାରେ ମର୍ମାହତ ବୋଲି ଟ୍ୱଟ୍ କରିଛନ୍ତି।