କୂଅରୁ ମିଳିଲା ନିଖୋଜ ମହିଳା ଓ ୪ ପିଲାଙ୍କ ମୃତଦେହ

ବଣାଇ : ଭୟଙ୍କର, ବୀଭତ୍ସ ଓ ବର୍ବର। ମା’ ସହ ୪ ପୁଅ ଝିଅଙ୍କ ରହସ୍ୟଜନକ ମୃତ୍ୟୁ। ସୁନ୍ଦରଗଡ଼ ଇନ୍ଦୁପୁର ଗାଁରେ ପାଞ୍ଚ ପାଞ୍ଚ ଜଣଙ୍କ ହୋଇଛି ସନ୍ଦେହଜନକ ମୃତ୍ୟୁ। ଏମାନେ ହେଉଛନ୍ତି ମା’ ମାଙ୍ଗିରି ମୁଣ୍ଡା ଏବଂ ତାଙ୍କର ୨ ଝିଅ ଓ ୨ ପୁଅ। ଆଜି ଦିନ ତମାମ ଘଟଣାର ଖୋଳତାଡ଼ କରିବା ପରେ ଅପରାହ୍ନରେ ଗାଁ ନିକଟ କୁଅ ଭିତରୁ ଉଦ୍ଧାର କରିଛି ପୁଲିସ।

ପ୍ରଥମେ ପାଣିରେ ଭାସୁଥିବା ଅବସ୍ଥାରେ ମା’ ଓ ବଡ଼ଝିଅକୁ ଉଦ୍ଧାର କରିଥିଲା ପୁଲିସ। ପରେ ଅନ୍ୟ ୩ ଭାଇ ଉଭଣୀଙ୍କୁ ଉଦ୍ଧାର କରି ମୃତଦେହକୁ ପୁଲିସ ଜବତ କରିଛି। ଆଉ ଏପଟେ ଝାଟିମାଟି ଘରେ ପଡ଼ିଛି ରକ୍ତର ଛିଟା। ଘର ବି ଭଙ୍ଗାରୁଜା ହୋଇଛି। ତେଣୁ ପାରିପାର୍ଶ୍ୱିକ ସ୍ଥିତି ଏବଂ ମୃତ ମାଙ୍ଗିରିଙ୍କ ସ୍ୱାମୀଙ୍କ ଏତଲା ଆଧାରରେ ହତ୍ୟାକାଣ୍ଡ ବୋଲି ଆଶଙ୍କା କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ,ଜଣେ ଶିଶୁର ମୃତ୍ୟୁ ପର ଠାରୁ ଏହି ମୁଣ୍ଡା ପରିବାର ଉପରେ ଗୁଣିଗାରେଡିକୁ ନେଇ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ ପଡୋଶୀ ପରିବାର। ଏଥିପାଇଁ କୁଆଡ଼େ ପ୍ରତିଶୋଧ ନେବାକୁ ବ୍ଲୁ ପ୍ରିଣ୍ଟ ବି ତିଆରି ହୋଇଥିଲା। ଆଉ ସ୍ୱାମୀ ଏବଂ ଶ୍ୱଶୁରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସୁଦାମ ମୁଣ୍ଡାଙ୍କ ଘରେ ଗତ ରାତିରେ ପଶିଥିଲେ ୪ରୁ ୫ ଜଣ ବ୍ୟକ୍ତି।

ତାସହ ରାତି ଅଧରେ ସମସ୍ତଙ୍କୁ ଆକ୍ରମଣ କରିବା ସହ ଘର ଠାରୁ ୨ଶହ ମିଟର ଦୂର ଏହି ସରୁ ମୁହଁ ଥିବା କୂଅ ଭିତରେ ଜଣଙ୍କ ପରେ ଜଣଙ୍କୁ ଆଣି ଫିଙ୍ଗିଦେଇଥିବା ଆଶଙ୍କା କରାଯାଉଛି। ଯଦି ଏହା ହତ୍ୟାକାଣ୍ଡ, ତେବେ କାହିଁକି ତାଙ୍କୁ  ହତ୍ୟା କରାଗଲା ? ହତ୍ୟା ପଛର ଅସଲ କାରଣ କଣ ? ସେନେଇ ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାର୍ଡର ସହାୟତା ନେଇ କୋଇଡା ପୁଲିସ୍‌ ଘଟଣାର ଖୋଳତାଡ଼ କରୁଛି।

ବଡ଼ ଭାଇ ଟାଙ୍ଗୁରୁ ମୁଣ୍ଡାଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ତଥା ନିଜ ଭାଉଜଙ୍କୁ ବିବାହ କରିଥିଲେ ସୁଦାମ। ପୂର୍ବରୁ ବଡ଼ଭାଇଙ୍କ ଗୋଟିଏ ଝିଅ ଥିବାବେଳେ ସୁଦାମଙ୍କ ଔରସରୁ ଜନ୍ମନେଇଛନ୍ତି ୨ ପୁଅ ଓ ଜଣେ ଝିଅ। ତେବେ ଏଭଳି ଅଭାବନୀୟ ଘଟଣା ପଛର ଅସଲ କାରଣ କଣ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

You might also like