ନବୀନ ସରକାରଙ୍କ ଅମଳରେ ପାଞ୍ଚଟି ବଡ଼ ଜମି ଦୁର୍ନୀତି ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ

ଭୁବନେଶ୍ୱର: ଗୋଟିଏ କି ଦୁଇଟି ନୁହେଁ, ନବୀନ ସରକାର ଅମଳରେ ପାଞ୍ଚ ପାଞ୍ଚଟି ମେଗା ଜମି ଦୁର୍ନୀତିର ଅଭିଯୋଗ ଆସିଛି। ତଥ୍ୟ ଭିତ୍ତିକ ପ୍ରମାଣ ସହ ଏଭଳି ସଂଗୀନ ଅଭିଯୋଗ ଆଣି ଆଜି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ।

ପ୍ରଦୀପ କହିଛନ୍ତି-ଟ୍ୱିନସିଟିରେ ଇଚ୍ଛାଧୀନ କୋଟାରେ ଘର ଓ ପ୍ଳଟ୍ ସ୍କାମରୁ ଗୋଟିଏ ବି ଜମି ସରକାରୀ ଖାତାକୁ ଫେରିନି। ପ୍ରାୟ ୨୦ ହଜାର କୋଟିର ଜମି ଦୁର୍ନୀତିକୁ ଚାପି ଦେଇଛନ୍ତି ସରକାର। ଘଙ୍ଗାପାଟଣା ଜମି ଦୁର୍ନୀତିରେ ଜମି ବିକିଥିବା ଓ କିଣାବିକା କରାଇଥିବା ବ୍ୟକ୍ତି ଗିରଫ ହେଲେ, ହେଲେ ଜମି କିଣିଥିବା ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଶୂନ୍।

ଯାଜପୁର ଡଙ୍କାରି ପାହାଡ଼ ମାଇନ୍ସ ସ୍କାମରେ ସେଠିକାର ବିଜେଡି ବ୍ଲକ ସଭାପତି ସଂପୃକ୍ତ। ଯେଉଁଥିରେ ସରକାରୀ ରାଜକୋଷର ହୋଇଛି ୧୫ଶହ କୋଟିର ଘାଟା। ହେଲେ ସେ ନେଇ ବି ସମସ୍ତେ ଚୁପ୍। ଏମିତିକି କିଟ୍ କର୍ତ୍ତୃପକ୍ଷ ରାଜଧାନୀରେ ୮୨ ଏକର ଜମି ଠକେଇ କରିଥିବା ସିଏଜି ଦର୍ଶାଇଥିଲେ। ଯେଉଁଥିରୁ ୩୦ ଏକର ଜଙ୍ଗଲ ଜମି କିଟ୍ ପ୍ରତିଷ୍ଠାତା ମାଡ଼ି ବସିବା ସହ ବିଡିଏ ଅନୁମୋଦନରେ ୧୧ ଏକର ଜମିରେ କିଟ୍ ଉଚ୍ଚ ଅଟ୍ଟାଳିକା ବି ନିର୍ମାଣ କରିଥିବା ଦର୍ଶାଇଛନ୍ତି ପ୍ରଦୀପ। ସେ ନେଇ ବି ସମସ୍ତେ ଚୁପ୍।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ବାସଭଭନ ନବୀନ ନିବାସରେ ବି ୫ଶହ ଡେସିମିଲ୍ ଜମି ବେଆଇନ୍ ଭାବେ ଜବରଦଖଲ ହୋଇଛି। ଯେଉଁଥିରୁ ୪ଶହ ଡେସିମିଲ୍ ମହାପ୍ରଭୁ ଲିଙ୍ଗରାଜଙ୍କ ଜମି ଏବଂ ତାହା ବେଆଇନ୍ ଭାବେ କନଭର୍ସନ ହୋଇଥିବା ଗୁରୁତର ଅଭିଯୋଗ ଆଣିଛନ୍ତି ପ୍ରଦୀପ। ସେ କହିଛନ୍ତି ଅନ୍ୟର ଦୁର୍ନୀତି ବାହାର କରିବା ପୂର୍ବରୁ ପ୍ରଥମେ ରାଜ୍ୟ ସରକାର ସ୍ୱଚ୍ଛ ହୁଅନ୍ତୁ। ତେବେ ସୂଚନା ଅଧିକାର କର୍ମୀଙ୍କ ଏ ସମସ୍ତ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍, ଶାସକଦଳ କି କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

You might also like