ନକ୍ସଲ ମୁକ୍ତ ହେଲା ଓଡ଼ିଶାର ୫ ଜିଲ୍ଲା
ଭୁବନେଶ୍ୱର: ମାଓବାଦୀମାନେ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ। ଏହି ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି ଅଭୟ। ସେ କହିଛନ୍ତି, ମାଓବାଦୀମାନଙ୍କ ଆତ୍ମସମର୍ପଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ୨୦୧୯ରେ ମୋଟ ୧୩ ଜଣ ଆତ୍ମସମର୍ପଣ କରିଥିଲେ। ଚଳିତବର୍ଷ ଜୁଲାଇ ସୁଦ୍ଧା ୧୭ ଜଣ ମାଓବାଦୀ ହିଂସା ଛାଡି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେଲେଣି।
ଲାଲବାହୀନୀ ପ୍ରଭାବ କମୁଥିବାରୁ SRE ତାଲିକାରୁ ବାଦ୍ ପଡ଼ିଛି ରାଜ୍ୟର ୫ ଜିଲ୍ଲା ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେଓଗଡ଼ ଏବଂ ନୟାଗଡ଼ ଜିଲ୍ଲା ସୁରକ୍ଷା ସଂପର୍କିତ ଖର୍ଚ୍ଚ (SRE)ରୁ ବାଦ୍ ପଡ଼ିଛି। ଏନେଇ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।
ଏସବୁ ଜିଲ୍ଲାରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ୨୦୧୮ରେ ୬ଟି ଜିଲ୍ଲା ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ମାଓ ପ୍ରଭାବିତ SRE ଜିଲ୍ଲା ତାଲିକାରୁ ବାଦ୍ ଦିଆଯାଇଥିଲା। ଏହି ମାଓ ପ୍ରବଣ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଏସ୍ଆରଇ ଯୋଜନାରେ ବିକାଶମୂଳକ କାମ ଚାଲୁ ରହିଥିଲା। ରାଜ୍ୟରେ ମାଓ ଗତିବିଧି ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।