ଅାସନ୍ତାକାଲି ଠାରୁ ରାଜ୍ୟର ୬ ସହରରେ ପଲିଥିନ ବ୍ୟାନ୍

ବିକଳ୍ପ ବ୍ୟବସ୍ଥା ନ କରି ବ୍ୟାନ୍‌ ପାଇଁ ସରକାରଙ୍କ ପଦକ୍ଷେପକୁ ବିରୋଧ କରିଛନ୍ତି ବ୍ୟବସାୟୀ

ଭୁବନେଶ୍ୱର : ଅାସନ୍ତାକାଲି ଠାରୁ ରାଜ୍ୟର ୬ ଟି ସହରରେ ବ୍ୟାନ ହେବ ପଲିଥିନ୍‌। ତେବେ ବିକଳ୍ପ ବ୍ୟବସ୍ଥା ନ କରି ବ୍ୟାନ୍‌ ପାଇଁ ସରକାରଙ୍କ ପଦକ୍ଷେପକୁ ବିରୋଧ କରିଛନ୍ତି ବ୍ୟବସାୟୀ। ୧୪ ବର୍ଷ ତଳେ ବି ଏମିତି ବିକଳ୍ପ ବ୍ୟବସ୍ଥା ନକରି ପ୍ଲାଷ୍ଟିକ ବ୍ୟାନ କରିଥିଲେ ସରକାର। ହେଲେ ଫଳ ଯାହା ହେଲା କାହାକୁ ଅଛପା ନାହିଁ।

ରାତି ପାହିଲେ ବ୍ୟାନ ହେବ ପଲିଥିନ୍। ଏହାକୁ ନେଇ ଚିନ୍ତାରେ ବ୍ୟବସାୟୀ । କଟକ ନନ୍ଦି ସାହିର ହୋଲସେଲ ଦୋକାନରେ ଗଛିତ ଅଛି ଲକ୍ଷ ଲକ୍ଷ ଟଙ୍କାର ପିଲିଥିନ ବ୍ୟାଗ୍। ତାସହିତ ମହଜୁଦ ଅଛି ବହୁ ପରିମାଣରେ ଥର୍ମୋକୁଲ ପ୍ରସ୍ତୁତ ଥାଳି, ପ୍ଲେଟ, ଗ୍ଲାସ ଓ ଅନ୍ୟାନ୍ୟ ପ୍ଲାଷ୍ଟକ୍ ତିଅାରି ସାମଗ୍ରୀ । ସରକାର କରିଥିବା ନିୟମ ଅନୁସାରେ ୫୦ ମାଇକ୍ରୋନରୁ କମ୍‌ ମୋଟେଇର ପଲିଥିନ ସଂପୂର୍ଣ ବ୍ୟାନ ହେବ। ତେଣୁ ଦୋକାନରେ ଥିବା ଏସବୁ ସାମଗ୍ରୀ ଅଦରକାରୀ ହୋଇଯିବ ଫଳରେ ସେମାନଙ୍କୁ ବିପୁଳ କ୍ଷତି ସହିବାକୁ ପଡିବ ବୋଲି ବ୍ୟବସାୟୀ କହିଛନ୍ତି।

ସେପଟେ ପଲିଥିନ୍ ବ୍ୟାନକୁ ଦେଖି ଲୋକେ ବିକଳ୍ପ ଖୋଜାରେ ଲାଗିଛନ୍ତି। ସମ୍ବଲପୁର ସହରର ଦୃଶ୍ୟ ମଧ୍ୟ ଏମିତି । ଲୋକେ କପଡା ଓ ଜରି ବ୍ୟାଗ ବ୍ୟବହାର ଅାରମ୍ଭ କରିଦେଇଛନ୍ତି। ଏପଟେ ଇସ୍ପାତ ନଗରୀ ରାଉରକେଲାରେ ପଲିଥିନ୍‌ର ଜାଗା ନେଇଛି କାଗଜ ତିଅାରି ଠୁଙ୍ଗା। ପ୍ଲାଷ୍ଟିକ ବ୍ୟାନ୍‌ ନିର୍ଦ୍ଦେଶକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଲାଗି ମହାନଗର ନିଗମ ଦୁଇଟି ସ୍କ୍ୱାଡ୍ ଗଠନ କରିଛି।

ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ପ୍ରମୁଖ ୬ସହରରେ ପ୍ଲାଷ୍ଟିକ ବ୍ୟାନ୍‌ ନେଇ ଗତ ଜୁଲାଇ ୧୦ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତେବେ ଏହାର ବିକଳ୍ପ କଣ ହେବ ସେନେଇ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ତେବେ ଏମଏସଏମଇ ସହାୟତାରେ ଝୋଟ,କାଗଜ ଓ କପଡା ବ୍ୟାଗ ପ୍ରସ୍ତୁତକାରୀ ସଂସ୍ଥାକୁ ପ୍ରୋତ୍ସାହିତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ନିର୍ଦ୍ଦେଶକ କହିଛନ୍ତି।

ବ୍ୟାନ୍ ଲାଗୁ ହେବାକୁ ଯାଉଥିବା କଟକ, ଭୁବନେଶ୍ୱର ସମେତ ୫ଟି ମହାନଗର ନିଗମ ଏବଂ ପୁରୀ ମୁନିସିପାଲିଟି ଅଞ୍ଚଳର ବ୍ୟବସାୟୀଙ୍କୁ ଷ୍ଟକ୍ ଖାଲି କରିବାକୁ ମାସେ ସମୟ ଦିଅାଯାଇଛି। ଖିଲାପକାରୀଙ୍କୁ ୫ ବର୍ଷ ଜେଲ ଓ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ଅଛି। ସେହିପରି ଛୋଟ ଛୋଟ ବ୍ୟବସାୟୀଙ୍କ କ୍ଷେତ୍ରରେ ୨ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଅାଦାୟ ପାଇଁ ମ୍ୟୁନିସପାଲ ଅାଇନରେ ବ୍ୟବସ୍ଥା କରିବାକୁ ଯାଉଛନ୍ତି ସରକାର।

You might also like