ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ଯୋଡ଼ା ଗଲା ଆଉ ୫ ବଗି

ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ଆଉ ୫ଟି ବଗି ଯୋଡ଼ା ଯାଇଛି। ଟିକେଟ୍‌ ପ୍ରତି ଅତ୍ୟଧିକ ଆଗ୍ରହ ଦେଖି ଏହି ୫ଟି ବଗି ସଂଯୋଗ କରାଯାଇଛି। 3AC ୪ଟି ବଗି ଓ 2AC ଗୋଟିଏ ବଗି ସଂଯୋଗ କରାଯାଇଛି। ଆସନ୍ତାକାଲିଠାରୁ ଏହି ଅତିରିକ୍ତ ବଗି ଟ୍ରେନରେ ସଂଯୁକ୍ତ ହେବ।

ପୂର୍ବରୁ ଟ୍ରେନରେ ୧୭ଟି ବଗି ଥିଲା। ଏବେ ବଗି ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଅତିରିକ୍ତ ୫ଟି ବଗି ପାଇଁ କିଛି ସମୟ ପରେ ବୁକିଂ ଆରମ୍ଭ ବୋଲି ସୂଚନା ଦେଇଛି ପୂର୍ବତଟ ରେଲ୍‌ୱେ।

ଲକ୍‌ଡାଉନ୍‌ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଗଡ଼ିଛି ଟ୍ରେନ୍‌। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲିବ। ଏଥିଲାଗି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରିଥିଲା।

ଆଜି ଚାଲିବାକୁ ଥିବା ଟ୍ରେନ୍‌ ପାଇଁ ଗତକାଲିଠୁ IRCTC ୱେବ୍‌ସାଇଟ୍‌ରେ ବୁକିଂ ହୋଇଥିଲା। ତେବେ ଭୁବନେଶ୍ୱର-ଦିଲ୍ଲୀ ଟ୍ରେନ୍‌ ଟିକେଟ ଘଣ୍ଟାଏ ଭିତରେ ଶେଷ ହୋଇଯାଇଥିଲା। ଘଣ୍ଟାଏରୁ କମ୍‌ ସମୟରେ ଟିକେଟ ସରି ଯାଇଥିବା ନେଇ ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଲୋକଙ୍କ ଡିମାଣ୍ଡକୁ ଦେଖି ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ଆଉ ୫ଟି ବଗି ଯୋଡ଼ା ଯାଇଛି।

You might also like