ବେକାବୁ କରୋନା ସ୍ଥିତି: ବ୍ରହ୍ମପୁର ଜେଲର ୪୮ ଅନ୍ତେବାସୀ କରୋନା ପଜଟିଭ୍ ଚିହ୍ନଟ

ବ୍ରହ୍ମପୁର : ବ୍ରହ୍ମପୁର ଜେଲରେ ବେକାବୁ କରୋନା ସ୍ଥିତି । ବ୍ରହ୍ମପୁର ଜେଲର ୪୮ ଅନ୍ତେବାସୀ କରୋନା ପଜଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ବଢିଛି ଚିନ୍ତା । ଜେଲରେ ଜଣେ ଆଜୀବନ କଏଦୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା, ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ତେବେ ବ୍ରହ୍ମପୁର ଜେଲରେ ୯ ଶହ ୨୭ ଜଣ ଅନ୍ତେବାସୀ ମଧ୍ୟରୁ ୮୪ ଜଣଙ୍କ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୮ କଏଦୀଙ୍କ ରିପୋର୍ଟ ପଜିଟିଭ ରହିଛି । ଏମାନଙ୍କୁ ଜେଲ ଭିତରେ ନୂତନ ଭାବେ ଖୋଲାଯାଇଥିବା ଶହେ ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା କରାଯାଉଛି । ଜେଲ ମଧ୍ୟରେ ଏତେ ସଂଖ୍ୟାରେ ପଜିଟିଭ ବାହାରିବା ପରେ କର୍ତ୍ତୃପକ୍ଷ ଏବେ ଚିନ୍ତାରେ । ଅନ୍ୟ ଅନ୍ତେବାସୀ କେମିତି ସୁରକ୍ଷିତ ରହିବେ ସେ ଦିଗରେ ଧ୍ୟାନ ଦିଆଯାଉଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନାଯୋଗ୍ୟ ଗତ ୧୨ ତାରିଖରେ କେନ୍ଦୁଝର ଜିଲ୍ଲା କାରାଗରର ୯ ଜଣ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କେନ୍ଦୁଝର ଜିଲ୍ଲା କାରାଗାରରେ ପ୍ରଥମେ ଜଣେ ଅନ୍ତେବାସୀଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା । ଏହାପରେ ସମ୍ପୃକ୍ତ ଅନ୍ତେବାସୀଙ୍କ ସାଥିରେ ଥିବା ଅନ୍ୟ ୩୦ ରୋଗୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯ ଜଣ କଏଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଅନ୍ୟ ୨୧ କଏଦୀ ଡାକ୍ତରଙ୍କ ତତ୍ୱାବଧାନରେ ରହିଛନ୍ତି ।

You might also like