‘ଦୀଘା-ଗୋପାଳପୁର କୋଷ୍ଟାଲ୍ ହାଇୱେ ହେବ ଗେମ୍ ଚେଞ୍ଜର’
ଭୁବନେଶ୍ୱର: ୪୫୧ କି.ମି. ଦୀର୍ଘ ବିଶିଷ୍ଟ ଦୀଘା-ଗୋପାଳପୁର କୋଷ୍ଟାଲ୍ ହାଇୱେ ହେବ ଗେମ୍ ଚେଞ୍ଜର। ଏହି ରାସ୍ତା ନିର୍ମାଣ ଦ୍ୱାରା ଉପକୂଳ ଓଡ଼ିଶାର ଭାଗ୍ୟ ବଦଳିବ। ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।
ଦୀଘା ଠାରୁ ଗୋପାଳପୁର ପରିପାର୍ଶ୍ୱିକ ଓ ପରିବେଶକୁ ଅକ୍ଷୁଣ୍ଣ ରଖାଯିବ। ଯାହା ଦେଶର ପ୍ରମୁଖ ପର୍ଯ୍ୟଟନୀ ସ୍ଥଳୀ ହେବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ଧର୍ମେନ୍ଦ୍ର କହିଛନ୍ତି, ଦୀଘା-ଗୋପାଳପୁର ଉପକୂଳ ରାଜପଥ ପାରାଦୀପ ଏବଂ ଧାମରା ବନ୍ଦରକୁ କୃଷି ଏବଂ ମତ୍ସ୍ୟଜାତ ସାମଗ୍ରୀ ପରିବହନ କରିବାରେ ଅର୍ଥନୈତିକ କରିଡ଼ର ଭାବେ କାର୍ଯ୍ୟ କରିବ। ଏହାସହ ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ଓ ବନ୍ୟା ସମୟରେ ପରିବହନ ଓ ଯୋଗାଣରେ ପ୍ରମୁଖ ଭୂମିକା ମଧ୍ୟ ଗ୍ରହଣ କରିବ।
ସେ ଆହୁରି କହିଛନ୍ତି, ‘ଉପକୂଳ ଅଞ୍ଚଳରେ ଏନ୍ସିସିର ସଂପ୍ରସାରଣ ସ୍ଥାନୀୟ ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। ଏହାସହ ବିପର୍ଯ୍ୟୟ ପରିଚାଳନାକୁ ମଜବୁତ୍ କରିବାରେ ମଧ୍ୟ ସହାୟକ ହେବ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶାକୁ ମିଳୁଥିବା ବଳରେ ଆତ୍ମନିର୍ଭର ଭାରତ ନିର୍ମାଣରେ ଅଧିକ ଯୋଗଦାନ ରହିବ।’