ରାୟଗଡା: ଗ୍ରାମାଞ୍ଚଳ ପରେ ଏବେ ରାୟଗଡ଼ା ସହରରେ କାୟା ମେଲାଉଛି ଡେଙ୍ଗୁ। ଡେଙ୍ଗୁର ହଟସ୍ପଟ ପାଲଟିଥିବା ମୁନିଗୁଡା ଟିକରପଡାରେ ୪୪ ଡେଙ୍ଗୁ ପଜିଟିଭ ବାହାରିବା ପରେ ଏବେ ସହରର ୪ ଓ ୫ ନମ୍ବର ୱାର୍ଡରେ ଦେଖାଦେଇଛି ଡେଙ୍ଗୁ ଆତଙ୍କ।
ହରିଜନ ସାହି, ମାରୁତି କଲୋନୀ, ଝୋଡିଆ ସାହି, ମେହେନ୍ତର ସାହି, ମେଦିରି ସାହି ଭଳି ଅଞ୍ଚଳରେ ବ୍ୟାପୁଛି ଡେଙ୍ଗୁ। ଏସବୁ ଅଞ୍ଚଳରେ ୩ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେପଟେ ଜିଲ୍ଲାପାଳ, ମ୍ୟୁନିସିପାଲଟି ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମିଳିତ ଭାବେ ଡେଙ୍ଗୁ ସଂକ୍ରମିତ ଅଂଚଳ ଗୁଡିକୁ ବୁଲିବା ସହ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଏସବୁ ୱାର୍ଡରେ ନାଳନର୍ଦ୍ଦମା ସଫାସୁତୁରା କରିବା ସହ ଜମୁଥିବା ପାଣି ନିଷ୍କାସନ ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।