ଭୁବନେଶ୍ୱର: ସାକାର ହେଲା ଦିବ୍ୟାଙ୍ଗ ପିଲାଙ୍କ ସ୍ୱପ୍ନ। ରାଜ୍ୟ ସରକାରଙ୍କ ସହଯୋଗରେ ଆଜି ଆକାଶରେ ଉଡ଼ିଛନ୍ତି ରାଜ୍ୟର ୪୩ ଜଣ ଦିବ୍ୟାଙ୍ଗ ପିଲା। ଭୁବନେଶ୍ୱର ବିମାନ ବନ୍ଦରରୁ ପ୍ରାୟ ୪୦ ମିନିଟ୍ ଯାଏ ଆକାଶରେ ଉଡ଼ିଛନ୍ତି ପିଲାମାନେ। ଏଭଳି ନିଆରା ଓ ଅଦ୍ଭୁତପୂର୍ବ ଅଭିଜ୍ଞତା ସାଉଁଟିବା ପରେ ପିଲାମାନେ ବେଶ ଖୁସି ଅଛନ୍ତି।
ଦିବ୍ୟାଙ୍ଗ ପିଲାଙ୍କର ଏହି ସ୍ୱପ୍ନ ସାକାର କରିଛି ସ୍ୱାଭିମାନ ଅନୁଷ୍ଠାନ। ଏଥିପାଇଁ ଆଲିଆନ୍ସ ଏୟାର ପକ୍ଷରୁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା।
ବିମାନରେ ପିଲାମାନଙ୍କୁ ଚକ୍ଲେଟ ଓ ଟିଫିନ୍ ଦିଆଯାଇଥିଲା। ପ୍ରଥମ ଥର ପାଇଁ ବିମାନରେ ବସିଥିବାରୁ ପିଲାମାନେ ଟିକିଏ ଭୟଭୀତ ହୋଇ ଯାଇଥିଲେ। କିନ୍ତୁ ଆକାଶରେ ଉଡ଼ି ବହୁତ ଖୁସି ହୋଇଥିଲେ। ପିଲାଙ୍କ ସହ ସେମାନଙ୍କର ଅଭିଭାବକ ମଧ୍ୟ ଯାଇଥିଲେ। ବିଶେଷ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀଙ୍କ ପ୍ରଚେଷ୍ଟା ଯୋଗୁ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି ସ୍ୱାଭିମାନ ଅନୁଷ୍ଠାନ ଅଧ୍ୟକ୍ଷା ଶ୍ରୁତି ମହାପାତ୍ର।
https://youtu.be/f_CKl1Pcjy8