ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୪୧ ଜଣଙ୍କୁ କରୋନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜଣେ ଆଳୁ ବ୍ୟବସାୟୀଙ୍କ ଅସାବଧାନତା ଯୋଗୁ ୪୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସି ଏମାନେ ସମସ୍ତେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମିିତି ଜଣେ ସୁପରସ୍ପ୍ରେଡରଙ୍କ ସମ୍ପର୍କରେ ସୂଚନା ଦେଇ ଭିଡ଼କୁ ନ ଯିବାକୁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ବିଏମ୍‌ସି କମିଶନର ସୂଚନା ଦେଇ କହିଛନ୍ତି, ଦୈନିକ ପରିବା କିଣିବାକୁ ନ ଯାଇ, ୪/୫ ଦିନରେ ଥରେ ପରିବାକୁ କିଣିବାକୁ ଯାଆନ୍ତୁ ଏବଂ ଟଙ୍କାଏ ଦୁଇଟଙ୍କା ପାଇଁ ବୁଲି ବୁଲି କିଣନ୍ତୁ ନାହିଁ। ବଜାରକୁ ଯିବାବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ସପିଂ କରନ୍ତୁ।

ଥରେ ଯେଉଁଠି ସଂକ୍ରମିତ ହୋଇଛି, ଆଉ ଯେ ହେବନି, ତାହା କହି ହେବନି। ତେଣୁ ଏଭଳି ଜାଗାକୁ ଯିବା ବେଳେ ଭିଡ଼କୁ ନ ଯାଇ ଶୀଘ୍ର ଜିନିଷ ଧରି ପଳାଇ ଆସିବାକୁ ପରାମର୍ଶ ଦେଇଛନ୍ତି ବିଏମ୍‌ସି କମିଶନର।

ସେ ଆହୁରି କହିଛନ୍ତି, ରାସ୍ତାକଡ଼ ଜଳଖିଆ ଦୋକାନୀକୁ ଦୋକାନରେ ବିକ୍ରି ପାଇଁ ଅନୁମତି ଦିଆଯାଇନାହିଁ। କିନ୍ତୁ ଅନେକ ସ୍ଥାନରେ ଦେଖିବାକୁ ମିଳିଛି, କିଛି ଦୋକାନୀ ରାସ୍ତାକଡ଼ରେ ଖାଦ୍ୟବିକ୍ରି କରୁଛନ୍ତି ଓ ଲୋକମାନେ ମଧ୍ୟ ସେହି ସ୍ଥାନରେ ଖାଉଛନ୍ତି। ଏପରି ନ କରି ଘରକୁ ପାର୍ସଲ ନେଇ ଆସନ୍ତୁ।

ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ବସ୍ତିରେ କୌଣସି କରୋନା ସଂକ୍ରମଣ ନେଇ କେସ୍ ମିଳିନାହିଁ। ବସ୍ତି କମିଟିର ତ୍ୱରିତ କାର୍ଯ୍ୟ ପାଇଁ ଅନେକ ବସ୍ତିରେ ସଂକ୍ରମଣ ହୋଇନାହିଁ। କରୋନା ଟେଷ୍ଟିଂରେ ଯାହାର ପଜିଟିଭ ଆସିବ, ସମ୍ପୃକ୍ତ ବ୍ୟକ୍ତି ଆଇସୋଲେସନରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ତେଣୁ ଭୟଭୀତ ହୁଅନ୍ତୁ ନାହିଁ, ଭିଡ଼କୁ ଯାଆନ୍ତୁ ନାହିଁ ଓ ଭିଡ଼ କରନ୍ତୁନି ବୋଲି ପୁଣିଥରେ ଦୋହରାଇଛନ୍ତି ବିଏମ୍‌ସି କମିଶନର।

ସୂଚନାଥାଉ କି, ଗତକାଲି ଭୁବନେଶ୍ୱରରୁ ୧୨୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେଥିମଧ୍ୟରୁ ୭୭ଟି କ୍ୱାରେଣ୍ଟିନ୍‌ କେସ୍‌ ଥିବାବେଳେ ଲୋକାଲ୍‌ କଣ୍ଟାକ୍ଟସ୍‌ କେସ୍‌ ୪୯ ଥିଲା। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୬୧ରେ ପହଞ୍ଚିଛି। ସେଥିମଧ୍ୟରୁ ୧,୫୬୬ଜଣ ସୁସ୍ଥ ହୋଇଥିବା ବେଳେ ୧,୨୭୬ଜଣ ଚିକିତ୍ସାଧୀନ ଅଛନ୍ତି। ୧୭ଜଣଙ୍କ ମୃତ୍ୟୁ ଘଟିଛି।

You might also like