ପିଲାଛୁଆଙ୍କୁ ଧରି ଭୋକ ଉପାସରେ ଫସି ରହିଛନ୍ତି ମଧ୍ୟପ୍ରଦେଶର ୪୦ ଲୁହା ବ୍ୟବସାୟୀ

ବାଲିଗୁଡ଼ା: କରୋନା ପାଇଁ ସାରା ଦେଶ ଲକ୍‌ ଡାଉନ୍‌ ହୋଇଥିବା ବେଳେ ଅନେକ ସ୍ଥାନରେ ବିଭିନ୍ନ ରାଜ୍ୟରେ ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀମାନେ ଫସି ରହିଛନ୍ତି।  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଅଞ୍ଚଳରେ ମଧ୍ୟପ୍ରଦେଶର ପାଖାପାଖି ୪୦ ଜଣ ପୁରୁଷ ଓ ମହିଳା ଲୁହା ବ୍ୟବସାୟୀ ଫସି ରହିଛନ୍ତି।

ସେମାନେ ଲୁହା ବ୍ୟବସାୟ କରିବାକୁ ମାସେ ତଳେ କନ୍ଧମାଳ ଜିଲ୍ଲାକୁ ଆସିଥିଲେ। ହେଲେ ଲକ୍‌ଡାଉନ୍ ଯୋଗୁ ସେମାନଙ୍କ ବ୍ୟବସାୟ ଠପ୍ ହୋଇଯାଇଛି। ଫଳରେ ପିଲାଛୁଆଙ୍କୁ ଧରି ଭୋକ ଉପାସରେ ବାରଖମା ଅଞ୍ଚଳରେ ସେମାନେ ଫସି ରହିଛନ୍ତି।

ଏ ସମ୍ପର୍କରେ ଗତକାଲି ଖବର ପାଇ ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଏବଂ ଥାନା ଅଧିକାରୀ ସେଠାରେ ପହଞ୍ଚି ସେମାନଙ୍କୁ ଚୁଡ଼ା ଓ ବିସ୍କୁଟ ଦେଇଥିଲେ। ଏଥିସହ କରୋନା ମୁକାବିଲାରୁ କିଭଳି ଦୂରେଇ ରହିବେ ସେନେଇ ହାତ ଧୋଇବା ଓ ସାମାଜିକ ଦ୍ୱରତ୍ୱ ସମ୍ପର୍କରେ ସଚେତନ କରାଇଥିଲେ। ହାତ ଧୋଇବା ପାଇଁ ତାଙ୍କୁ ସାବୁନ ମଧ୍ୟ ଦିଆଯାଇଥିଲା। ଏବେ ବ୍ୟବସାୟ ବନ୍ଦ ହୋଇଯାଇଥିବାରୁ ଆଗାମୀ ଦିନରେ କିଭଳି ଚଳିବେ ସେ ନେଇ ଚିନ୍ତାରେ ରହିଛନ୍ତି ଏହି ବ୍ୟବସାୟୀ।

You might also like