ଅସହାୟଙ୍କୁ ଆହାର ଦେଉଛି ପଥର! କାମ ମିଳୁନି, ପଥର ଭାଙ୍ଗି ଗୁଜୁରାଣ ମେଣ୍ଟାଉଛନ୍ତି ଚାଳିଶରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ):ପଥର ଆମ ପାଇଁ ଭଗବାନ୍, ପଥର ଆମ ପାଇଁ ଦରଦୀ ବନ୍ଧୁ। ପାପୀ ପେଟକୁ ଦୁଇ ଓଳି ଦୁଇମୁଠା ଦାନା ଯୋଗାଏ। ଶିକ୍ଷା ଏମାନଙ୍କ ପାଇଁ ସାତ ସପନ।  ପଥର ଭାଙ୍ଗିଲେ ଘରେ ଚୂଲି ଜଳେ, ନହେଲେ ଖାଡ଼ା ଉପାସ। ଦିନ ଆରମ୍ଭ ହୁଏ ପଥରରୁ, ଆଉ ପଥରରେ ହିଁ ଦିନ ସରି ସଞ୍ଜ ନଇଁଯାଏ। ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଂଚୟତର ମାଳିଗୁଡା ଓ ସ୍ପିଲ୍ଵବାଇ ଦୁଇ ଗ୍ରାମର ଚାଳିଶରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର ପଥର ଭାଙ୍ଗି ପରିବାର ଚଳାନ୍ତି। ସରକାରୀ  ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୁଇ ଗ୍ରାମର ଲୋକେ ପଥର ଭାଙ୍ଗି ପରିବାର ଚଳାଉଛନ୍ତି। ଖରା,ବର୍ଷା, ଶୀତ ଏମାନଙ୍କ ପାଇଁ ସବୁ ସମାନ। ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ। ସରକାରୀ ଯୋଜନା ସାତ ସପନ। ମୌଳିକ ଆବଶ୍ୟକତା ପୂରଣ କରିବା ନିମନ୍ତେ ସକାଳୁ ପଥର ଭାଙ୍ଗିବା ପାଇଁ ଚାଲିଯାଆନ୍ତି। ରୋଜଗାର କରିବା ପାଇଁ ଅନ୍ୟ କୌଣସି ପନ୍ଥା ନଥିବାରୁ ପଥର ଭଙ୍ଗା କାମକୁ ଆପଣେଇ ନେଇଛନ୍ତି ଚାଳିଶ ପରିବାର। ପଥର ଭାଙ୍ଗି ସେଥିରୁ ଚିପସ ,ମେଟାଲ ତିଆରି କରନ୍ତି ଏବଂ ବିକ୍ରି କରି ଗୁଜୁରାଣ ମେଣ୍ଟାନ୍ତି। ମୁଣ୍ଡ ବର୍ଷ ତମାମ ଏହି କାର୍ଯ୍ୟ କରି, ଏଥରୁ ଯାହା ମିଳେ ଭାଗ୍ୟକୁ ଆଦରି ଚଳନ୍ତି। ଯେଉଁଦିନ କାମ ବନ୍ଧ ହୁଏ ସେହିଦିନ ପରିସ୍ଥିତି ଅଲଗା ପ୍ରକାର ହୁଏ।

ପରିବାର ସମସ୍ତ ସଦସ୍ୟ କାମ କରିବା ସହ କୁନି କୁନି ପିଲାମାନେ ମଧ୍ୟ ବାପମାଆଙ୍କୁ ଏଥିରେ ସାହାଯ୍ୟ କରନ୍ତି।ସରକାରୀ ସହାୟତା କହିଲେ ଏମାନଙ୍କୁ ମିଳେ ମୁଠେ ଚାଉଳ। ଏହା ଛଡା ନା ଅଛି ଜବ କାର୍ଡ, ନା ପାଉଛନ୍ତି ଭତ୍ତା।ଇନ୍ଦିରା ଆବାସ ଯୋଜନା ଏମାନଙ୍କ ଠାରୁ ବହୁ ଦୂରରେ। ସରକାରଙ୍କ ଅଧିକାଂଶ ଯୋଜନାର ଲାଭ ଉଠାଇ ପାରୁନାହାନ୍ତି। ପ୍ରଶାସନ ନିକଟରେ ବାରମ୍ବାର ଗୁହାରୀ ଜଣାଉଥିଲେ ହେଁ ଫଳାଫଳ ଶୁନ୍ୟ। ସରକାର ଯଥା ଶୀଘ୍ର ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି କରାଯାଇଛି। ଏଭଳି ପରିସ୍ଥିତିରେ ଆଦିବାସୀଙ୍କ ପ୍ରତି କେବେ ସରକାରଙ୍କ ଦୃଷ୍ଟି ପଡୁଛି ତାହା ଦେଖିବା ବାକି ରହିଲା ।

You might also like