ଆଈର ହାତ ଧରି ନଦୀ ପାର ହେଉଥିଲା ୪ ବର୍ଷର ନାତୁଣୀ, ଭାସିଗଲା
ରାଉରକେଲା: ଆଈର ହାତ ଧରି ନଦୀ ପାର ହେଉଥିଲା। କେମିତି କେଜାଣି ହାତ ଖସିଗଲା ଆଉ ଭରା ନଦୀର ସୂଅରେ ଭାସିଗଲା ୪ ବର୍ଷର କୁନି ଝିଅ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ରାଉରକେଲାରେ।
ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ସମରଝୋଲା ଗାଁର ଜଣେ ବୟସ୍କା ମହିଳା ତାଙ୍କର ଦୁଇଜଣ ନାତି ନାତୁଣୀକୁ ଧରି ଆସିଥିଲେ ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ନିକଟକୁ । ସେଠାରେ କାମ ସାରି ପୁଣି ପିଲାମାନଙ୍କ ସହ କାଠ ପୋଲ ଦେଇ ଘରକୁ ଫେରୁଥିଲେ।
ହେଲେ ବାଉଁଶ ଏବଂ କାଠରେ ନିର୍ମିତ ପୋଲଟି ଦୁର୍ବଳ ଥିଲା ବୋଲି ମହିଳା ଜଣକ ଜାଣି ପାରିନ ଥିଲେ। ନାତି ନାତୁଣୀଙ୍କୁ ଧରି ପୋଲ ଉଛପରେ ଆସୁଥିବା ବେଳେ ହଠାତ ପୋଲର ଏକ ସ୍ଥାନରୁ କାଠ ଖସି ପଡ଼ିଲା । ଫଳରେ ତିନିଜଣ ନଦୀ ମଧ୍ୟକୁ ଗଳି ପଡିଥିଲେ। ସ୍ଥାନୀୟ ଲୋକେ ମହିଳା ଏବଂ ତାଙ୍କ ନାତିକୁ ପାଣିରୁ ଉଦ୍ଧାର କରିଥିବା ବେଳେ ଚାରି ବର୍ଷର ନାତୁଣୀ ନଦୀ ସ୍ରୋତରେ ଭାସିଯାଇଥିଲା।
ଆଜି ସକାଳୁ ଫାୟାର ବ୍ରିଗେଡ଼ ଟିମ ଏବଂ ପୋଲିସ ସେହି ସ୍ଥାନରେ ପହଞ୍ଚି ଖୋଜାଖୋଜି କରୁଛନ୍ତି । ନଦୀର ଉଭୟ ପଟ ଲୋକ ବହୁ ଦିନ ଧରି ସ୍ଥାୟୀ ପୋଲ ର୍ନିମାଣ ଦାବି କରୁଥିଲେ ମଧ୍ୟ ପ୍ରଶାସନ ଶୁଣୁନି ଯେଉଁଥିପାଇଁ ଏପରି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।