କୋଭିଡ୍ର ନୂଆ ରୂପକୁ ନେଇ ଚିନ୍ତାରେ ପଡ଼ିଲେଣି ରାଜ୍ୟ ସରକାର; ବ୍ରିଟେନ୍ ଫେରନ୍ତା ଶିଶୁ କରୋନା ପଜିଟିଭ୍
ଭୁବନେଶ୍ୱର: ବ୍ରିଟେନର କୋଭିଡ୍ର ନୂଆ ରୂପକୁ ନେଇ ଚିନ୍ତାରେ ପଡ଼ିଲେଣି ରାଜ୍ୟ ସରକାର। ଆଜି ପୁଣି ଜଣେ ବ୍ରିଟେନ୍ ଫେରନ୍ତା କରୋନା ପଜିଟିଭ ହେବା ପରେ ଏହି ଷ୍ଟ୍ରେନ୍କୁ ନେଇ ଛନକା ପଶିଛି। ବ୍ରିଟେନ୍ ଫେରନ୍ତା ଜଣେ ଶିଶୁ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି।
ଭୁବନେଶ୍ୱର ମହାନଗର ନିଗମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ବ୍ରିଟେନ୍ ଫେରନ୍ତା ଜଣେ ୪ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତିି। ଗତ ୨୦ ତାରିଖରେ ଶିଶୁଟି ବାପାମାଆଙ୍କ ସହ ବ୍ରିଟେନ୍ରୁ ଫେରିଥିଲା। ତେବେ ବାପା ଓ ମାଆଙ୍କର କୋଭିଡ୍ ଟେଷ୍ଟ ନେଗେଟିଭ ଆସିଛି।
ବାପା, ମାଆ ଓ ଶିଶୁକୁ ଇନ୍ଷ୍ଟିଚ୍ୟୁସନାଲ ଆଇସୋଲେସନ୍ରେ ରଖାଯାଇଛି। ଆସନ୍ତାକାଲି ବାପା ଓ ମାଆଙ୍କର ପୁଣି କୋଭିଡ୍ ଟେଷ୍ଟ କରାଯିବ।
ସେପଟେ ଗଞ୍ଜାମରେ ଆଜିଠୁ ପୁଣି କୋଭିଡ୍ ସଚେଚତନା ରଥ ବୁଲିବା ଆରମ୍ଭ କରିଛି। କରୋନାର ନୂଆ ରୂପ ସାର୍ସ- କୋଭ୍-୨ ଚିହ୍ନଟ ହେବା ଏବଂ ରାଜ୍ୟରେ ବ୍ରିଟେନ୍ ଫେରନ୍ତା କୋଭିଡ୍ ପଜିଟିଭ୍ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ଆଜି ଏହି ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଏହି ରଥ ୨୯ ତାରିଖ ଯାଏ ପ୍ରତିଦିନ ୨ଟି ବ୍ଲକ ବୁଲି ଲୋକଙ୍କୁ କୋଭିଡ ନେଇ ସଚେତନତା କରାଇବ। ସେପଟେ ଜିଲ୍ଲାକୁ ବ୍ରିଟେନ୍ରୁ ୩ ଜଣ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ତାଙ୍କର ଦୁଇ ଦୁଇ ଥର RTPCR ଟେଷ୍ଟ ନେଗେଟିଭ୍ ଆସିଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ତେବେ ଭୟଭୀତ ନ ହୋଇ ସଚେତନ ରହିବାକୁ ସେ ଜିଲ୍ଲାବାସୀଙ୍କୁ ଆହ୍ୱାନ କରିଛନ୍ତି।
ଗତ ୧୪ ଦିନ ମଧ୍ୟରେ ବ୍ରିଟେନରୁ ୪୩ ଜଣ ଓଡ଼ିଶା ଫେରିଛନ୍ତି। ଏ ନେଇ ସବୁ ଜିଲ୍ଲାପାଳ ଏବଂ ସିଡିଏମ୍ଓ ମାନଙ୍କୁ ତାଲିକା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ। ଆସିଥିବା ଲୋକଙ୍କ RT-PCR ଟେଷ୍ଟ କରାଇବା ସହ ସଂପୃକ୍ତ ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ, ସର୍ଭେଲାନ୍ସ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଆଗନ୍ତୁକଙ୍କ ଜେନମ୍ ସିକ୍ୟୁଏନ୍ସିଂ ହେବ ଏବଂ ଜେନମ ସିକ୍ୟୁଏନ୍ସିଂ ନେଇ ସାମ୍ପଲ ସଂଗ୍ରହ ଗାଇଡଲାଇନ ବି ଜାରି ହୋଇଛି।
ତଥ୍ୟ କହୁଛି କରୋନା ଭୂତାଣରୁ ନୂଆ ଷ୍ଟ୍ରେନ୍ ପୂର୍ବ ତୁଳନାରେ ୭୦ପ୍ରତିଶତ ଅଧିକ ସଂକ୍ରମଣକ୍ଷମ। ତେଣୁ ଏ ନେଇ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ମତ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଡାକ୍ତର ନୀରଜ ମିଶ୍ରଙ୍କ କହିବାନୁସାରେ, ଏହି ନୂଆ ଷ୍ଟ୍ରେନ୍ରେ ଦେଖାଯାଉଛି ନୂଆ ଲକ୍ଷଣ। ଏଥିରେ ହାଲିଆ ଲାଗିବା, ମାଂଶ ପେଷୀରେ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ତରଳ ଝାଡ଼ା, ଚର୍ମ ରୋଗ ଆଦି ଲକ୍ଷଣ ଦେଖାଯାଉଛି। ତେବେ ଜେନୋମିକ ସିକ୍ୟୁଏନ୍ସିଂ ନକଲେ ଏ ଭାଇରସ ସମ୍ପର୍କରେ ଜଣାପଡ଼ିବ ନାହିଁ ବୋଲି ନୀରଜ ମିଶ୍ର କହିଛନ୍ତି।
ସୂଚନା ଥାଉକି, ବ୍ରିଟେନ୍ରେ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ସାର୍ସ କୋଭ୍-୨( ବି.୧.୧.୭) ଦକ୍ଷିଣ ଆଫ୍ରିକାରୁ ବ୍ରିଟେନ୍କୁ ଆସିଛି ବୋଲି କୁହାଯାଉଛି। ଦକ୍ଷିଣ ଆଫ୍ରିକା ବାଦ୍ ଏବେ ସୁଦ୍ଧା ଏହି ଷ୍ଟ୍ରେନ୍ ୬ଟି ୟୁରୋପୀୟ ରାଷ୍ଟ୍ର ସାଙ୍ଗକୁ ଅଷ୍ଟ୍ରେଲିଆରେ ବି ଠାବ ହୋଇସାରିଲାଣି।
କରୋନାର ନୂଆ ଷ୍ଟ୍ରେନ୍ ପରେ ବ୍ରିଟେନ୍ରୁ ଆସୁଥିବା ସମସ୍ତ ବିମାନକୁ ଡିସେମ୍ବର ୨୧ ତାରିଖ ବ୍ୟାନ ନିର୍ଦ୍ଦେଶ ଦେଇଥିଲା ଭାରତ। ୨୨ ତାରିଖ ୨୩:୫୯ ଅର୍ଥାତ ସନ୍ଧ୍ୟା ୮ ଠାରୁ ଡିସେମ୍ବର ୩୧ ତାରିଖରେ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ବ୍ରିଟେନ୍ ଫେରନ୍ତା ବିମାନ ଉପରେ ବ୍ୟାନ୍ ଲଗାଯାଇଛି।
ବ୍ରିଟେନ୍ର ନୂଆ ଭାଇରସ ଅଧିକ ସଂକ୍ରାମକ ବୋଲି ଜଣାପଡ଼ିଛି। ଇଂଲଣ୍ଡର ଦକ୍ଷିଣାଂଶରେ ଏହାର ସଂକ୍ରମଣ ହୋଇଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜହନସନ୍ ଘୋଷଣା କରିଥିଲେ। କରୋନାଭାଇରସର ଏହି ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଜଣାଯାଇଛି।
ବ୍ରିଟେନ୍ରେ ନୂଆ କରୋନା ଭାଇରସ ନେଇ ବୋରିସ ଜୋହନସନଙ୍କର ଘୋଷଣା ପରେ ଫ୍ରାନ୍ସ , ଜର୍ମାନୀ, ଇଟାଲୀ, ଦି ନେଦର୍ଲ୍ୟାଣ୍ଡ, ବେଲଜିୟମ୍, ଅଷ୍ଟ୍ରିଆ, କାନାଡା, ଆୟର୍ଲ୍ୟାଣ୍ଡ, ଏବଂ ବୁଲଗାରିଆ ୟୁକେ ଫେରନ୍ତ ଫ୍ଲାଇଟ୍ ଉପରେ ବ୍ୟାନ ଲଗାଇଛନ୍ତି।