ସୀମା ପାରକୁ ବିରୋଧ କରିବାରୁ ଆକ୍ରମଣ; ଚାରି ପୁଲିସ୍‌ ଆହତ

କରଞ୍ଜିଆ: କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ସମୟରେ ଅନେକ ରାଜ୍ୟର ସୀମା ସିଲ୍ କରାଯାଇଛି। ଲକଡାଉନ ନିୟମ ମାନିବାକୁ ନିୟମ କଡାକଡି କରାଯାଇଛି। ହେଲେ କେତେକ ଲକ୍‌ଡାଉନ ନିୟମ ଉଲ୍ଲଘଂନକାରୀଙ୍କୁ ବିରୋଧ କରିବାକୁ ଯାଇ ପୋଲିସ କର୍ମଚାରୀ ଆହତ ଆହତ ହୋଇଛନ୍ତି। ଘଟଣା ଘଟିଛି ଝାଡ଼ଖଣ୍ଡ-ମୟୂରଭଂଜ ସୀମାନ୍ତ ରରୁଆଁ ଥାନା ଅଞ୍ଚଳରେ।

ହୋମଗାର୍ଡ ଅନିଲ କୁମାର ହେମ୍ବ୍ରମ୍‌ଙ୍କ କହିବା ଅନୁଯାୟୀ, ଲକ୍‌ଡାଉନ ପାଇଁ ରାଜ୍ୟର ବିଭିନ୍ନ ସୀମାକୁ ସିଲ୍‌ କରି ଦିଆଯାଇଛି। ତେବେ ଓଡ଼ିଶା –ଝାରଖଣ୍ଡ ସୀମା ସିଲ୍‌ ଥିବା ବେଳେ ସେଠାରେ କିଛି ପୁଲିସ୍ କର୍ମଚାରୀ ମୁତୟନ ହୋଇଥିଲେ। ଆଜି ସକାଳେ କିଛି ପୁଲିସ୍‌ କର୍ମଚାରୀ ସେଠାରେ ଜଗିଥିବା ବେଳେ ଝାରଖଣ୍ଡ ପଟୁ କେତେକ ଯୁବକ  ଆସି ରରୁଆଁ ଯିବା ପାଇଁ କହିଥିଲେ।

ତେବେ ସୀମାରେ ଜଗିଥିବା ପୁଲିସ୍‌ କର୍ମଚାରୀ ସେମାନଙ୍କୁ ଛାଡି ନଥିଲେ। ଏହାକୁ ନେଇ ଉକ୍ତ ଯୁବକ  ଓ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ପରେ ସେମାନେ ତାଙ୍କ ସାଥୀଙ୍କୁ ଡାକିଥିଲେ। ପରେ ୧୫ରୁ ୨୦ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେଠାରେ ପହଞ୍ଚି ପୁଲିସ୍ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଏଥିରେ ଚାରି ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ମଧ୍ୟ ଅସ୍ଥାୟୀ ଗେଟ୍‌କୁ ଭାଙ୍ଗି ଦେଇଛନ୍ତି। ଏଥିସହ ସେଠାରେ କର୍ମଚାରୀଙ୍କ ପାଇଁ ଥିବା ଆସବାବପତ୍ର ମଧ୍ୟ ଭାଙ୍ଗି ଦେଇଛନ୍ତି।

ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ରରୁଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା କନଷ୍ଟେବଲ ଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଏବେ ବି ସ୍ଥିତି ଉତେଜନାପୂର୍ଣ୍ଣ ରହିଛି।

You might also like