ନିଜାମୁଦ୍ଦିନ ଧର୍ମସଭାରୁ ଫେରିଥିବା ୪ ଓଡ଼ିଶାରୁ ଚିହ୍ନଟ

କେନ୍ଦ୍ରାପଡ଼ା/ଜାଜପୁର: ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଓଡ଼ିଶା ଫେରିଥିବା  ତିନି ଜଣ ପୂର୍ବରୁ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪ଜଣଙ୍କୁ ଚିହ୍ନଟ କରାଯାଇଛି।  କେନ୍ଦ୍ରାପଡା ଓ ଯାଜପୁରରୁ ଜଣେ ଲେଖାଏ ଏବଂ କୋରାପୁଟ ଜିଲ୍ଲାରୁ ୨ ଜଣଙ୍କ ଠାବ କରାଯାଇଛି।

ଆଜି  କେନ୍ଦ୍ରାପଡ଼ାରୁ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ହସ୍‌ପିଟାଲ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା। ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ  ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି। ଗତ କିଛି ଦିନ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅନ୍ୟ ରାଜ୍ୟରୁ ଆଠ ହଜାର ଓ ବାହାର ଦେଶରୁ ଛଅ ଶହ ଲୋକ ଆସିଛନ୍ତି। ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯିବ ସହ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି।

ସେହିପରି ନିଜାମୁଦ୍ଦିନ ଧର୍ମସଭାକୁ ଯାଇ ଫେରିଥିବା ଯାଜପୁର ଜିଲ୍ଲା ବିଞ୍ଝାରପୁରର ଜଣେ ବ୍ୟକ୍ତିଙ୍କୁ ଯାଜପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି । ମାର୍ଚ୍ଚ ୧ରୁ ୧୫ ଯାଏ ହୋଇଥିବା ଏହି ଧର୍ମସଭାରେ ଯୋଗଦେଇ ସେ ୧୯ ତାରିଖରେ ଯାଜପୁର ଫେରିଥିଲେ।  ତାଙ୍କର ନୁମନା ସଂଗ୍ରହ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

କୋରାପୁଟ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ଜୟପୁରର ଏବଂ ଅନ୍ୟଜଣେ କୋଟପାଡ ଅଞ୍ଚଳର ବୋଲି  କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଓଟିଭିକୁ ସୂଚନା ଦେଇ ସେ କହିଛନ୍ତି, କୋଟପାଡରୁ ଯାଇଥିବା ବ୍ୟକ୍ତି ଏବେ ଦିଲ୍ଲୀରେ କ୍ୱାରେଣ୍ଟାଇନରେ ଅଛନ୍ତି ଓ ଜୟପୁରରୁ ଯାଇଥିବା ବ୍ୟକ୍ତି ଆନ୍ଧ୍ର ଗୁଣ୍ଟୁରରେ ରହିଛନ୍ତି ।

ସୂଚନାଥାଉ କି, ଏହି ଧାର୍ମିକ ସଭା ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଘଟଣା ଜାଣିବା ପରେ ରାଜ୍ୟଗୁଡ଼ିକ ତତ୍ପର ହୋଇ ଉଠିଛନ୍ତି । ନିଜ ରାଜ୍ୟରୁ କେଉଁମାନେ ଦିଲ୍ଲୀ ଯାଇ ଏହି ଧାର୍ମିକ ସଭାରେ ଯୋଗ ଦେଇଥିଲେ ଓ ଫେରିବା ପରେ ସାମନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜି ବାହାର କରିବା ଲାଗି ରାଜ୍ୟ ପ୍ରଶାସନ ଉଦ୍ୟମ ଚଳାଇଛନ୍ତି । ଏଭଳି ଏକ ପଦକ୍ଷେପ ବହୁ କଠିନ ହୋଇଥିଲେ ବି ସେମାନଙ୍କୁ ଖୋଜି ବାହାର କରିବାର ପ୍ରୟାସ ସମସ୍ତେ ଜାରି ରଖିଛନ୍ତି।

ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ୨୫୦୦ ଲୋକଙ୍କୁ ଠାବ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ଅନେକ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି । ମାଲେସିଆ, ଇଣ୍ଡୋନେସିଆ ଓ ଥାଇଲାଣ୍ଡରୁ ଆସିଥିବା ମୁସଲମାନ ଧର୍ମଗୁରୁମାନେ ହିଁ କରୋନା ଭୂତାଣୁ ସଂକ୍ରମଣର ଉତ୍ସ ବୋଲି କୁହାଯାଉଛି । ତେବେ ଜାମ୍ମୁ ଓକାଶ୍ମୀର ସମେତ ଉତ୍ତର ଭାଗରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ୮୫୫ ଜଣଙ୍କୁ ଠାବ କରାଯାଇଛି । ତାମିଲନାଡୁରୁ ଯୋଗଦେଇଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିବା ୧୫୦୦ ଜଣଙ୍କ ମଧ୍ୟରୁ ୧୨ ଶହଙ୍କୁ ଠାବ କରାଯାଇଛି।  ତେବେ ଆଉ ୩୦୦ଙ୍କୁ ଖୋଜା ଚାଲିଛି । ସେହିପରି କର୍ଣ୍ଣାଟକରୁ ୩୦୦ ଯୋଗ ଦେଇଥିବାବେଳେ ମାତ୍ର ୨୬ ଜଣ ଚିହ୍ନଟ ହୋଇଛନ୍ତି ଯାହାକି ଏବେ ରାଜ୍ୟ ସରକାରଙ୍କ ପ୍ରତି ବିପଦ ହେଲାଣି ।ଉତ୍ତରପ୍ରଦେଶର ୧୮ଟି ଜିଲ୍ଲାରୁ ୧୫୭ ଜଣ ଯୋଗ ଦେଇଥିବାବେଳେ ୧୨୮ ଠାବ ହୋଇଛନ୍ତି।

You might also like