କରୋନା ଭୟରେ ପର କରିଦେଲେ ଆତ୍ମୀୟସ୍ୱଜନ, ସହାୟତାର ହାତ ବଢ଼ାଇଲେ ୪ ସାମ୍ବାଦିକ

ଆସିକା: ପାଖରେ ପଡ଼ିଛି ସ୍ୱାମୀର ମୃତଦେହ, ଆଉ କୋହଭରା କଣ୍ଠରେ କଇଁ କଇଁ ହୋଇ କାନ୍ଦୁଛନ୍ତି ସ୍ତ୍ରୀ। ପାଖରେ କେହି ନାହାନ୍ତି ସ୍ୱାମୀଙ୍କ ଶବକୁ କାନ୍ଧ ଦେବାକୁ। ଦୁଃଖ ସମୟରେ ବନ୍ଧୁବାନ୍ଧବଙ୍କଠୁ ଆରମ୍ଭ କରି ସାହି ପଡ଼ିଶା କେହିବି ମୁହଁକୁ ଚାହିଁଲେନି। ଉପାୟଶୂନ୍ୟ ହୋଇ କାନ୍ଦୁଛନ୍ତି ମହିଳା ଜଣକ। ହେଲେ ମହିଳାଙ୍କ ଏଭଳି ଦୁଃଖ ସମୟରେ ପ୍ରକୃତ ବନ୍ଧୁ ସାଜି ଠିଆହେଲେ ୪ ସାମ୍ବାଦିକ।

ଗଞ୍ଜାମ ଜିଲ୍ଲା ଶେରଗଡ଼ ଗାଁର ବଡ଼ଦାଣ୍ଡ ସାହି ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପିତାମ୍ବର ପାଢ଼ୀ ଗତ ୧୫ ଦିନ ହେବ ଅସୁସ୍ଥ ଥିଲେ। ତାଙ୍କର ଚିକିତ୍ସା ମଧ୍ୟ ଜାରି ରହିଥିଲା। ହେଲେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ପିତାମ୍ବର। ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକଙ୍କ ପାଇଁ ଆରମ୍ଭ ହୋଇଯାଇଥିଲା ପ୍ରକୃତ ସମସ୍ୟା। କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହରେ ବନ୍ଧୁବାନ୍ଧବଙ୍କଠୁ ଆରମ୍ଭ କରି ସାହି ପଡ଼ିଶା ପର୍ଯ୍ୟନ୍ତ କେହିବି ଶବକୁ କାନ୍ଧ ଦେବାକୁ ଆସିଲେ ନାହିଁ। ଶେଷରେ ୪ଜଣ ସାମ୍ବାଦିକ କାନ୍ଧ ଦେବାରୁ ଶବ ସତ୍କାର ହୋଇପାରିଲା।

ପିତାମ୍ବରଙ୍କ ଦୁଇ ପୁଅ ଅନ୍ୟ ରାଜ୍ୟରେ ରହୁଥିବାରୁ ବାପାଙ୍କ ଶେଷ ଦର୍ଶନ ପାଇଁ ଆସିପାରିଲେନି। କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହରେ ବନ୍ଧୁବାନ୍ଧବଙ୍କଠୁ ଆରମ୍ଭ କରି ସାହି ପଡ଼ିଶା ଶବ ଉଠାଇବାକୁ ଆସିଲେ ନାହିଁ। ବହୁ ସମୟ ଧରି ଶବ ପଡ଼ି ରହିଲା। ଶେଷରେ ମାନବିକତା ଦୃଷ୍ଟିରୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ସ୍ଥାନୀୟ ୪ସାମ୍ବାଦିକ। ସେମାନେ ହେଲେ-ବାଲାଜୀ ପ୍ରଧାନ, ମେଘନାଦ ଦାସ, ଶଙ୍କର ପ୍ରସାଦ ପ୍ରଧାନ ଓ ଅଜିତ କୁମାର ପଣ୍ଡା। ଏମାନେ ସମସ୍ତେ ପିପିଇ କିଟ୍‌ ପିନ୍ଧି ଶବ ସତ୍କାର ବାହାରିଥିଲେ। ସେମାନେ କୋକେଇ ସଜାଡି ଶବକୁ କାନ୍ଧ ଦେଇ ପାଇଁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲେ। ସେତିକି ନୁହେଁ, ନିଜେ ଆମ୍ବୁଲାନ୍ସରେ ପରିବାର ଲୋକଙ୍କ ସହ ବ୍ରହ୍ମପୁର ଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।

କରୋନା ମାହାମରୀ ସମୟରେ ଧୀରେଧୀରେ ସାମାଜିକ ବାସନ୍ଦ, ଛୁଆଁଅଛୁଆଁ ଭେଦଭାବ ତୀବ୍ର ହେବାରେ ଲାଗିଛି। ଏପରିକି ନିଜ ଲୋକ ମଧ୍ୟ ମୁହଁ ଆଡ଼େଇ ଦେଉଛନ୍ତି। ଏପରି ସମୟରେ ଏହି ସାମ୍ବାଦିକଙ୍କ ଏଭଳି କାର୍ଯ୍ୟ ପାଇଁ ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ। ଯଦିଓ ଏହି ୪ ସାମ୍ବାଦିକ ସମ୍ପର୍କରେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ କେହି ନୁହଁନ୍ତି, ହେଲେ ଏଭଳି ଦୁଃଖ ସମୟରେ ଛିଡ଼ା ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

You might also like