ଓଡ଼ିଶା ସ୍ଥଳଭାଗ ନ ଛୁଇଁ ବି ଅମ୍ପନ ମାଡ଼ରେ ଆକ୍ତାମାକ୍ତା ୪ ଜିଲ୍ଲା

ଭୁବନେଶ୍ୱର: ବାତ୍ୟା ଅମ୍ପନ ଓଡ଼ିଶା ସ୍ଥଳଭାଗକୁ ଛୁଇଁନଥିଲେ ମଧ୍ୟ ଏହାର ମାଡ଼ରେ କ୍ଷତାକ୍ତ ହୋଇଛି ଉତ୍ତର ଉପକୂଳ। ବାଲେଶ୍ୱରୁରୁ ଜଗତସିଂହପୁର ଯାଏଁ ୪ଟି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ୧୦ ଜିଲ୍ଲାର ୮୯ ବ୍ଲକର ପ୍ରାୟ ୪୪ ଲକ୍ଷରୁ ଅଧିକ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ନଷ୍ଟ ହୋଇଛି ଲକ୍ଷେ ହେକ୍ଟରରୁ ଅଧିକ ଜମିରେ ଫସଲ। ବିଦ୍ୟୁତ ଭିତ୍ତିଭୂମି ବି ଅନେକ ଜାଗାରେ କ୍ଷତିଗ୍ରସ୍ତ ହୋଇଛି।

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ବାତ୍ୟା ଅଂପନ ମାଡ଼ରେ ଆକ୍ତାମାକ୍ତା ହୋଇଛି। ଏସବୁ ଜିଲ୍ଲାର ଅଧିକାଂଶ ଅଂଚଳ ପ୍ରବଳ ପବନ ଓ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ସହିଛନ୍ତି। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ, କୁଜଙ୍ଗ, ବାଲିକୁଦା ଓ ପାରାଦୀପ ବିଶେଷ ପ୍ରଭାବିତ ହୋଇଛି। ଉପୁଡି ପଡ଼ିଛି ଗଛ, ନଷ୍ଟ ହୋଇଛି ଏକର ଏକର ପାନବରଜ। ଏମିତିକି ପାରଦୀପ-କଟକ ମୁଖ୍ୟରାସ୍ତା ବି କିଛି ଘଣ୍ଟା ପାଇଁ ଅବରୋଧ ହୋଇଥିଲା। ଜିଲ୍ଲାର କିଛି ଅଂଚଳରେ ଏବେ ବି ବିଦ୍ୟୁତ ସେବା ସ୍ୱାଭାବିକ ହୋଇପାରିନି।

କେନ୍ଦ୍ରାପଡ଼ାର ଜିଲ୍ଲାରେ ବି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ରାଜନଗର ବ୍ଳକ୍‌ର ଈଶ୍ୱରପୁର ପଞ୍ଚାୟତର ଶହ ଶହ ଏକର ଚାଷ ଜମିରେ ମାଡ଼ି ଯାଇଛି ଲୁଣାପାଣି।

ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ବାସୁଦେବପୁର ସମେତ ବିଭିନ୍ନ ବ୍ଲକ ବି ପ୍ରଭାବିତ ହୋଇଛି। ଧାମରା ନିକଟ ସମୁଦ୍ରରେ ଉଚ୍ଚ ଜୁଆର ଉଠିବାରୁ ଚାନ୍ଦବାଲି ବ୍ଲକ୍‌ର ଏକର ଏକର ଚାଷ ଜମିରେ ଲୁଣା ପାଣି ପଶିଯାଇଛି। ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିବାରୁ ଏଯାଏଁ ଅନ୍ଧାରରେ ଅଛନ୍ତି ଅନେକ ଅଂଚଳବାସୀ। ବାସୁଦେବପୁରରେ ବିଭିନ୍ନ ସ୍ଥାନରେ ଗଛ ପଡ଼ିବା ଯୋଗୁଁ ରାସ୍ତା ଅବରୋଧ ହୋଇଥିଲା। ଅଗ୍ନିଶମ ଓ ଓଡ୍ରାଫ ଟିମ୍ ଗଛ କାଟି ରାସ୍ତା ସଫା କରିଛନ୍ତି।

ତେଣେ ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବାଲେଶ୍ୱର ସଦର ଓ ଅନ୍ୟ ଅଂଚଳରେ ଅମ୍ପନ ଦେଖାଇଥିଲା ଏହାର କୋପ। ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ଓ ତାର ଛିଣ୍ଡିବା ଯୋଗୁଁ ପ୍ରାୟ ୪୦ କୋଟିର କ୍ଷତି ହୋଇଥିବା ଆକଳନ କରାଯାଇଛି।

ଜିଲ୍ଲାର ଭୋଗରାଇ ବ୍ଲକ୍‌ର ଅନେକ ଗାଁରେ ଧାନ ଜମିରେ ପାଣି ଜମି ରହିଛି। ମୟୂରଭଂଜ ଜିଲ୍ଲାର କିଛି ଅଂଶ ବି ବାତ୍ୟାରେ  ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା, ପବନ ମାଡ଼ରେ ଏଠାରେ ଆମ୍ବଚାଷ ବେଶ୍ କ୍ଷତିଗ୍ରସ୍ତ ହୋଇଛି। ରବି ଫସଲ ବି ମାଡ଼ ଖାଇଛି।
ରାଜ୍ୟରେ ବାତ୍ୟା କ୍ଷୟକ୍ଷତି ନେଇ ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଅମ୍ପନ ମାଡ଼ରେ ୧୦ ଜିଲ୍ଲାର ମୋଟ୍  ୮୮ ବ୍ଲକ ପ୍ରଭାବିତ ହୋଇଛି। ୧୫ ଶହ ପଞ୍ଚାୟତର ୪୪ ଲକ୍ଷ ୪୩ ହଜାର ଲୋକ ପ୍ରଭବିତ ହୋଇଛନ୍ତି। ସେହିପରି ୨୨ଟି ସହରାଞ୍ଚଳର ୨୬୫ଟି ଓ୍ୱାର୍ଡ ବି ପ୍ରଭାବିତ ହୋଇଛି। ପ୍ରାୟ ୧ଲକ୍ଷ ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଛି। ଏହାବ୍ୟତୀତ ୩୪ ଲକ୍ଷ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଥିଲେ।

କିଛି ସ୍ଥାନରେ ମରାମତି ପରେ ବିଦ୍ୟୁତ ସେବା ଆରମ୍ଭ ହୋଇଯାଇଛି। ତେବେ କିଛି ଅଚଂଳରେ ଏବେ ବି ବିଦ୍ୟୁତ ସେବା ବିଚ୍ଛିନ୍ନ ରହିଛି। ତେବେ ଆଜି ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣ ହୋଇଯିବ ବୋଲି ଶକ୍ତି ବିଭାଗ କହିଛି।

ବାତ୍ୟା ଅମ୍ପନ ବେଳେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଗତକାଲି ସ୍ପଷ୍ଟ ହୋଇଥିବା ବେଳେ ଏ ସଂଖ୍ୟା ଆଉ ବଢ଼ିଛି କି ନାହିଁ ସରକାରୀ ଭାବେ କିଛି କୁହାଯାଇନି।

You might also like