କଟକରେ ବି ଚିନ୍ତା ବଢ଼ାଇଲା କରୋନା, ଆଉ ଏକ ଶିକ୍ଷାନୁଷ୍ଠାନରୁ ବାହାରିଲେ ୪ ପଜିଟିଭ

କଟକ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କଟକ ଓ ଖୋର୍ଦ୍ଧାରେ ସଂକ୍ରମିତଙ୍କୁ ନେଇ ଚିନ୍ତା ବଢ଼ିଛି। ଭୁବନେଶ୍ୱର XIMBରୁ ୪୫ ଜଣ ପଜିଟିଭ ଚିହ୍ନଟ ପରେ ଶିକ୍ଷନୁଷ୍ଠାନକୁ ସିଲ୍‌ କରି ଦିଆଯାଇଥିବା ବେଳେ କଟକର ଆଉ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ରବିବାର ଦିନ ଉକ୍ତ ଶିକ୍ଷାନୁଷ୍ଠାନରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କର କଣ୍ଟାକ୍ଟ୍‌ ଟ୍ରେସିଂ କରାଯିବା ପରେ ଗତକାଲି ଶିକ୍ଷାନୁଷ୍ଠାନର ଆଉ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ଡଃ ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନାଥାଉ କି, ଏହାପୂର୍ବରୁ କଟକର ଏକ ଘରୋଇ କଲେଜରୁ ପ୍ରଥମେ ୧୨ ଜଣ ଓ ପରେ ସମ୍ପୃକ୍ତ କଲେଜରୁ ପୁଣି ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ଆଉ ଏକ ଶିକ୍ଷାନୁଷ୍ଠାନରୁ ୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ଗତକାଲି କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରୁ ୧୯ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୪ ଜଣ ହୋମ୍‌ କ୍ୱାରେଣ୍ଟିନ୍ ଓ ୫ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି।

You might also like