ଆଇସୋଲେସନ୍‌ ଓ୍ୱାର୍ଡରେ କରୋନା ସନ୍ଦିଗ୍ଧ ୨ ଦମ୍ପତି

ଭୁବନେଶ୍ୱର: ସମସ୍ତଙ୍କୁ ଘାରିଛି କରୋନା ଭୟ। ଓଡ଼ିଶାରେ ଏବେ ସୁଦ୍ଧା କେହିବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ହେଲେ ରାଜ୍ୟ ତଥା ଦେଶ ବାହାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ରାଜ୍ୟ ତଥା ଦେଶ ବାହାରକୁ ଯାଇ ଫେରୁଥିବା ବ୍ୟକ୍ତିଙ୍କୁ ନିଜ ସମ୍ପର୍କରେ ଅବଗତ କରାଇବାକୁ କୁହାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ବଲାଙ୍ଗିର ଜିଲ୍ଲାରେ କରୋନା ସନ୍ଦେହରେ ଦମ୍ପତିଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଛି। ସେମାନେ ସଂପର୍କୀୟଙ୍କ ମୃତ୍ୟୁ ଖବର ପାଇ କାନାଡ଼ାରୁ ଓଡ଼ିଶା ଫେରିଛନ୍ତି। ଯଦିଓ ସେମାନଙ୍କଠାରେ କରୋନା ସଂପର୍କିତ କୌଣସି ଲକ୍ଷଣ ଦେଖାଯାଇନାହିଁ, ତଥାପି କାନାଡ଼ାରେ କରୋନା ବ୍ୟାପିଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ବଲାଙ୍ଗିର ଜିଲ୍ଲା ମେଡିକାଲର ଆଇସୋଲେସନ ଓ୍ୱାର୍ଡରେ ରଖିଛନ୍ତି।

ସେହିପରି ଦୁବାଇରୁ ବ୍ରହ୍ମପୁର ଫେରିଥିବା ଜଣେ ବ୍ୟକ୍ତିଙ୍କୁ ବ୍ରହ୍ମପୁର ଏମ୍‌କେସିଜିର କରୋନା ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି। ଉକ୍ତ ବ୍ୟକ୍ତିଙ୍କ ସହ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଦମ୍ପତି ଚିକିଟି ଅଞ୍ଚଳର ବୋଲି ଜଣାପଡିଛି। ବ୍ୟକ୍ତି ଜଣକ ଦୁବାଇରୁ ବିଶାଖାପାଟଣା ଏୟାରପୋର୍ଟରେ ପହଞ୍ଚିବା ପରେ ଗାଁକୁ ଆସିଥିଲେ। ବିଦେଶରୁ ଫେରିଥିବା ଜଣାପଡିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁବାଇରୁ ଫେରିଥିବା ବ୍ୟକ୍ତି ଜଣଙ୍କୁ ନିମୋନିଆ ହୋଇଥିବା ସୂଚନା ଦେଇଛନ୍ତି ଡାକ୍ତର। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

ସେପଟେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଅଞ୍ଚଳରେ ଜଣେ ଯୁବତୀ ତାମିଲନାଡ଼ୁରୁ ଘରକୁ ଫେରିଥିବାରୁ ତାଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବା ସହ ଫୁଲବାଣୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ କୁହାଯାଇଛି।

ସୋନପୁର ବିନିକାରେ ୨ କରୋନା ସନ୍ଦିଗ୍ଧଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରଖାଯାଇଛି। ସନ୍ଦିଗ୍ଧ ଦୁଇ ଜଣଙ୍କ ଘର ଡୁଙ୍ଗୁରିପାଲି ଏବଂ ରାମପୁର ଥାନା ଅଞ୍ଚଳର। ଉଭୟ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଥିଲେ ମଧ୍ୟ ସେମାନଙ୍କୁ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯିବାସହ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ଡାକ୍ତରୀ ଟିମ୍। ଉଭୟେ ତୁର୍କୀ ଓ ଇସ୍ତାନବୁଲରେ ରହି କାମ କରୁଥିଲେ। ଗତ ୭ ତାରିଖରେ ସେମାନେ ଘରକୁ ଫେରିଥିଲେ।

You might also like