ନବୀନଙ୍କ ପାଇଁ ଅଡୁଆ ସାଜିଛନ୍ତି ଏଇ ୪ ମନ୍ତ୍ରୀ

ଭୁବନେଶ୍ୱର: ଅରୁଣ ସାହୁ, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଗନ୍ନାଥ ସାରକା। ନବୀନଙ୍କ ପଞ୍ଚମ ପାଳିରେ ସବୁଠୁ ଅଧିକ ବିବାଦରେ ଫସିଛନ୍ତି ଏହି ଚାରି ମନ୍ତ୍ରୀ। ଏମାନଙ୍କ ବିବାଦୀୟ କାର୍ଯ୍ୟକଳାପ, ବିରୋଧୀଙ୍କୁ ସରକାରଙ୍କ ଉପରେ ଶାଣିତ ଆକ୍ରମଣର ସୁଯୋଗ ଦେଇଛି। ତାସହିତ ନବୀନଙ୍କ ଭାବମୂର୍ତ୍ତିରେ ଆଣିଛି ଆଞ୍ଚ।

  • (ପରୀ ମାମଲା-ଅରୁଣ ସାହୁ) ପରୀ ହତ୍ୟା ଘଟଣାରେ ବିବାଦ ଘେରକୁ ଟାଣି ହୋଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ବିଜେପି ଏହାକୁ ବଡ଼ ପ୍ରସଙ୍ଗ କରି ରାଜ୍ୟବ୍ୟାପୀ ବିକ୍ଷୋଭ କରିବା ସହ ଅରୁଣଙ୍କ ଇସ୍ତଫା ଓ ମାମଲାର ସିବିଆଇ ତଦନ୍ତ ଦାବି କରିଆସୁଛି।
  • (ମାହାଙ୍ଗା  ମର୍ଡର-ପ୍ରତାପ ଜେନା) ବିଜେଡି ସରକାରରେ ଅନ୍ୟତମ ପାଓ୍ୱାରଫୁଲ୍ ମନ୍ତ୍ରୀ ପ୍ରତାପ ଜେନା, ଏବେ ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ଫସିଛନ୍ତି। ଏପରିକି FIRରେ ବି ପ୍ରତାପଙ୍କ ନାଁ ରହିଛି। ବିଜେପି ଏହି ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇ ପ୍ରତାପଙ୍କ ବହିଷ୍କାର ଦାବି କରିଆସୁଛି।
  • (ସମବାୟ ଦୁର୍ନୀତି- ରାଜା ସ୍ୱାଇଁ) ସେପଟେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବି ବିବାଦ ଘେରରେ। ରଣେନ୍ଦ୍ରଙ୍କ ଭାଇ ବୀରେନ୍ଦ୍ର ସ୍ୱାଇଁ ସମବାୟ ବ୍ୟାଙ୍କ ଋଣ ଜାଲିଆତିରେ ଜଡିତ ଥିବା ଅଭିଯୋଗ ଆସିବା ପରେ ରାଜା ସ୍ୱାଇଁଙ୍କ ଆଡକୁ ବି ଅଙ୍ଗୁଳି ଉଠିଛି।
  • (ରତ୍ନପଥର କାରବାର-ଜଗନ୍ନାଥ ସାରକା) ସେପଟେ ରତ୍ନପଥର ଚୋରା କାରବାରକୁ ନେଇ ବିବାଦ ଘେରକୁ ଆସିଥିଲେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା। ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ ମନ୍ତ୍ରୀଙ୍କ ଫଟୋ ହୋଇଥିଲା ଭାଇରାଲ୍। ବଡ଼ ପ୍ରଶ୍ନ, ଏହି ଚାରି ମନ୍ତ୍ରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ କରିବେ ନବୀନ? ଆଗକୁ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ଏମାନେ ବିଦା ହେବେ କି? ତାକୁ ନେଇ ପାଓ୍ୱାର କରିଡର୍‌ରେ ଚର୍ଚ୍ଚା ଜୋର୍ ଧରିଛି।
ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବା ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛାଧୀନ କଥା। ଏଥିରେ ମୁଁ କୌଣସି ମତ ଦେବାର ଆବଶ୍ୟକତା ନାହିଁ।
-ଅଶୋକ ପଣ୍ଡା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷଣ ସଶକ୍ତୀକରଣ ମନ୍ତ୍ରୀ
ମନ୍ତ୍ରୀମଣ୍ଡଳ ଅଦଳବଦଳ କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମୋ ପାଖରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ମୁଖ୍ୟମନ୍ତ୍ରୀ ଯାହା ଉଚିତ୍ ମନେ କରିବେ ତାହାହିଁ କରିବେ।
-ଅମର ଶତପଥୀ, ବିଜେଡି ବିଧାୟକ

୨୦୧୯ରେ ପଞ୍ଚମ ଥର ଲାଗି କ୍ଷମତାକୁ ଆସିବାପରେ ନବୀନ ନିର୍ବାଦୀୟ, ସ୍ୱଛ ଓ ନୂଆ ଚେହେରାକୁ ମନ୍ତ୍ରିମଣ୍ଡଳରକେ ସାମିଲ କରିଥିଲେ। ଯେଉଁଥିପାଇଁ ଅନେକ ବରିଷ୍ଠ ନେତା କ୍ୟାବିନେଟ୍‌ରେ ସ୍ଥାନ ପାଇନଥିଲେ। ପୂର୍ବରୁ ବିବାଦ ଓ ଦୁର୍ନୀତି ଅଭିଯୋଗ ଆସିବା ମାତ୍ରେ ତତକ୍ଷଣାତ କ୍ୟାବିନେଟ୍‌ରୁ ଏକ୍‌ଜିଟ୍ ଡୋର୍ ଦେଖାଉଥିଲେ ନବୀନ। ଏବେ କିନ୍ତୁ ତାହା ହେଉନି ତେବେ କାହିଁକି ଏଭଳି ସ୍ଥିତି? ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବିଜେଡିର ଯେଉଁ ଜିରୋ ଟଲେରାନ୍ସ ନୀତି ଥିଲା, ଆଉ ସେ ନୀତି ନାହିଁ। ଯାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ, ସେ ଦଳ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ କିମ୍ବା ଦଳକୁ କ୍ଷତି କରିବ, ଏହାକୁ ବିଚାର କରି ନିଷ୍ପତ୍ତି ନିଆଯାଉଛି।
-ସନ୍ଦୀପ ସାହୁ, ରାଜନୈତିକ ସମୀକ୍ଷକ

ବିଜେଡି ସରକାର ପ୍ରତି ଗୋଟିଏ ପରେ ଗୋଟିଏ ବିବାଦ ଆସୁଛି ନବୀନ ତାର କିଭଳି ମୁକାବିଲା କରୁଛନ୍ତି ଓ କି କାର୍ଯ୍ୟାନୁଷ୍ଠାନ ନେବେ, ତାଉପରେ ସମସ୍ତଙ୍କ ନଜର।

You might also like