ରାଜସ୍ଥାନ ଯାଏ ଲମ୍ବିଛି ମୂର୍ତ୍ତି ଚୋରି ରାକେଟ୍ର ଚେର
ବାଲୁଗାଁ(ଶକ୍ତି ମହାପାତ୍ର): ଖୋର୍ଦ୍ଧା ବାଣପୁର ଦକ୍ଷେଶ୍ୱର ମନ୍ଦିରରୁ ୨୨ଟି ମୂଲ୍ୟବାନ ମୂର୍ତ୍ତି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍। ଏହି ମୂର୍ତ୍ତି ଚୋରି ରାକେଟ୍ର ଚେର ରାଜସ୍ଥାନକୁ ଲମ୍ବିଥିବା ଜଣାପଡ଼ିଛି। ମାମଲାରେ ବାଣପୁର ପୋଲିସ୍ ୪ ଆନ୍ତଃରାଜ୍ୟ ପେସାଦାର ମୂର୍ତ୍ତି ଚୋରଙ୍କୁ ଗିରଫ କରିବା ସହ ୯ଟି ମୂର୍ତ୍ତି ଉଦ୍ଧାର କରିଛି। ଏଥିସହ ୪ଟି ଧାତବ ଅବଶେଷ ମଧ୍ୟ ଉଦ୍ଧାର କରାଯାଇଛି।
ଗିରଫ ଅଭିଯୁକ୍ତମାନେ ରାଜସ୍ଥାନର ବୋଲି ପୋଲିସ ସୂଚନା ଦେଇଛି। ମାମଲାରେ ଅନ୍ୟ ୨ ଜଣଙ୍କର ସମ୍ପୃକ୍ତି ଥିବାବେଳେ ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଖୋର୍ଦ୍ଧା ଏସ୍ପି କହିଛନ୍ତି।
ସୂଚନାଥାଉ କି, ଗତ ଡିସେମ୍ବର ୨୨ ତାରିଖରେ ବାଣପୁରର ବହୁ ପୁରାତନ ଦକ୍ଷେଶ୍ୱର ମନ୍ଦିରରୁ ୨୨ଟି ମୂଲ୍ୟବାନ ମୂର୍ତ୍ତି ଚୋରି ନେଇ ଅଭିଯୋଗ ହୋଇଥିଲା। ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋର ତଥ୍ୟ ଅନୁଯାୟୀ ତଦନ୍ତକୁ ଜୋରଦାର କରିଥିଲା ପୋଲିସ୍। ପରେ ସିସିଟିଭି ଫୁଟେଜ୍ ଓ ମୋବାଇଲ୍ ଟ୍ରାକିଂ କରି ପୋଲିସ୍ ଏହି ଆନ୍ତଃରାଜ୍ୟ ମୂର୍ତ୍ତି ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ୨୨ ତାରିଖ ଯେଉଁଦିନ ଚୋରି ହୋଇଥିଲା ସେଇଦିନ ମନ୍ଦିର ପାଖାପାଖି ରାଜସ୍ଥାନ ଅଞ୍ଚଳର ୪ଟି ମୋବାଇଲ୍ ନମ୍ବର ଆକ୍ଟିଭ୍ ଥିଲା ବୋଲି ପୋଲିସ୍ ଜାଣିବାକୁ ପାଇଥିଲା। ତଦନ୍ତ ବେଳେ ସେହି ୪ ପେସାଦାର ମୂର୍ତ୍ତି ଚୋର ହୋଇଥିବା ରାଜସ୍ଥାନ ପୋଲିସ୍ ଖୋର୍ଦ୍ଧା ପୋଲିସ୍କୁ ସୂଚନା ଦେଇଥିଲା। ଏହି ୪ଜଣଙ୍କୁ ଶୁକ୍ରବାର ଖୋର୍ଦ୍ଧା ବରୁଣେଇ ନିକଟରୁ ପୋଲିସ୍ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଚୋରି ହୋଇଥିବା ୨୨ଟି ମୂର୍ତ୍ତି ମଧ୍ୟରୁ ୯ଟି ମୂର୍ତ୍ତି ସହ ୪ଟି ଧାତୁପିଣ୍ଡ ଏବଂ ୩ଟି ମୋବାଇଲ୍ ଜବତ ହୋଇଛି।