ଜଙ୍ଗଲରେ ନିଆଁ ଲଗାଇ ବନ୍ଧା ହେଲେ ୪

ଉଦଳା/କାମାକ୍ଷାନଗର: ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରୁ ୩ ଜଣଙ୍କୁ ଗିରଫ କରାଯାଇଛି।

ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ପୋଡାଡିହା ରେଞ୍ଜର ଏକ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ବନ ବିଭାଗ ଜଣଙ୍କୁ ଗିରଫ କରିଛି। ଶିକାର ପାଇଁ ନିଆଁ ଲଗାଉଥିବାବେଳେ ସେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଟାଙ୍ଗିଆ ଓ ୭ କିଲୋଗ୍ରାମ ଓଜନର ଝିଙ୍କ ମାଂସ ଜବତ ହୋଇଛି।

ସେହିପରି ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ବନ ବିଭାଗ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ- କଙ୍କଡାହାଡ଼ ଥାନା ଅନ୍ତର୍ଗତ ମାଣ୍ଡିଆପଡା ଗାଁର ହୃଦାନନ୍ଦ ସିଂହ,ତେଲକୋଇ ଥାନା ଅନ୍ତର୍ଗତ ରେକୁଟି ଗାଁର ସହଦେବ ବେହେରା ଓ ଅନିରୁଦ୍ଧ ବେହେରା।

ଗତକାଲି ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜର ସତ୍ୟ ନାରାୟଣ ସାହୁ ଓ ଟିମ୍‌ ରଞ୍ଜାଗଡ଼ ଜଙ୍ଗଲରେ ଚଢ଼ାଉ କରିଥିଲେ। ଜଣଙ୍କୁ ମାଣ୍ଡିଆପଡା ଗାଁ ପାଖ ଜଙ୍ଗଲରୁ ଏବଂ ଅନ୍ୟ ଦୁଇ ଜଣଙ୍କୁ ବାଲିଘାଟ ପାଖରୁ ଧରିଥିଲେ। ଏମାନଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା।

ଅନ୍ୟପକ୍ଷରେ, ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି। ଜଙ୍ଗଲରେ କିଭଳି ଭାବରେ ନିଆଁ ନ ଲାଗିବ ସେଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି ଓ ବିଭାଗୀୟ ଅଧିକାରୀଙ୍କ ସହ ସମନ୍ୱୟ ବୈଠକ ହୋଇଛି ବୋଲି ସେ କହିଛନ୍ତି। ଦୁଇଦିନ ପୁର୍ବରୁ ସମ୍ବଲପୁରର ବୁଢାରଜା ପାହାଡ଼ରେ ନିଆଁ ଲାଗିଥିଲା।

ଗତ କିଛିଦିନ ହେଲା ଶିମିଳିପାଳ ଅଭୟାରଣ୍ୟ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ଭଳି ଘଟଣା ବଢ଼ିବାରେ ଲାଗିଛି। ଶିକାର ପାଇଁ ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ବନ ବିଭାଗ ତତ୍ପରତା ପ୍ରକାଶ କରିଛି।

ପଢ଼ନ୍ତୁ: ‘ବହୁତ ବର୍ଷା ଦେ…ନିଆଁ ଲିଭି ଯାଉ’

You might also like