ଜଳପଥରେ ଆସିଲେ ଓଡ଼ିଶା, ଖର୍ଚ୍ଚ କରିଥିଲେ ୨ ଲକ୍ଷ ଟଙ୍କା

ବ୍ରହ୍ମପୁର: ଲକଡାଉନ ନିୟମକୁ ଉଲ୍ଲଂଘନ କରି ଚେନ୍ନାଇରୁ ସମୁଦ୍ର ପଥରେ ଆସିଲେ ଶ୍ରମିକ। ଆଜି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୋନପୁରରେ ଶ୍ରମିକମାନେ ପହଞ୍ଚିଛନ୍ତି। ୨ ଲକ୍ଷ ଟଙ୍କା ଭଡା ଦେଇ ଚେନ୍ନାଇରୁ ଏକ ଡଙ୍ଗା ଭଡା କରି ଏମାନେ ଆସି ଗଞ୍ଜାମ ସମୁଦ୍ର ଉପକୂଳରେ ପହଞ୍ଚିଛନ୍ତି। ତେବେ ଏମାନଙ୍କୁ ଆସିବା ପାଇଁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା। ଦୂର ଦୂର ପର୍ଯ୍ୟନ୍ତ ଅଥଳ ଜଳରାଶି, ଚାରିଦିଗ କିଟିକିଟି ଅନ୍ଧାର। ମଝିରେ ମଝିରେ ବଡ଼ ବଡ଼ ଢେଉ ଡ଼ଙ୍ଗାକୁ ଦୋହଲାଇ ଦେଉଥାଏ। ଡ଼ଙ୍ଗା ଭିତରେ ବସି ଫେରୁଥାନ୍ତି ଓଡ଼ିଆ ଶ୍ରମିକ। ତାଙ୍କର ଭୟଙ୍କର ଅନ୍ଧାରୀ ଜଳଯାତ୍ରାର କାହାଣୀ କିଛି ଏମିତି…

ମୋଟ ୩୮ ଜଣ ଶ୍ରମିକ ଡଙ୍ଗାରେ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ସୋନପୁରର ୨୪ ଜଣ ଏବଂ ୨ ଜଣ ଆନ୍ଧ୍ରପ୍ରଦେଶର ଅବଶିଷ୍ଟ ଶ୍ରମିକ ଗୋପାଳପୁର ଅଞ୍ଚଳର ବୋଲି ସୂଚନା ମିଳିଛି। ଏମାନଙ୍କୁ ବର୍ତ୍ତମାନ ସୋନପୁର ସାମୁଦ୍ରିକ ଥାନାରେ ରଖାଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି।

ସ୍ଥାନୀୟ ତହସିଲଦାର ସେମାନଙ୍କଠୁ ତଥ୍ୟ ସଂଗ୍ରହ କରୁଛନ୍ତି ଏମାନଙ୍କ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ସଂଗ୍ରହ ହେଉଛି। ଆଗରୁ ଏଭଳି ଉପାୟରେ ମଧ୍ୟ ସମୁଦ୍ର ପଥରେ ଆସିଥିଲେ କିଛି ଶ୍ରମିକ। ହେଲେ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରିପାରିନଥିଲେ। ସେମାନଙ୍କୁ ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଅଟକାଯାଇଥିଲା।

You might also like