• translate
Rajalaxmi Sahoo

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୬୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୫୮୪ରେ ପହଞ୍ଚିଛି।

ଗତକାଲି ରାଜ୍ୟରେ ୩୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା। ଖୋର୍ଦ୍ଧାରୁ ୭, ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡିରୁ ୪ ଜଣ ଲେଖାଏ, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରୁ ୩ ଜଣ ଲେଖାଏ, ଗଞ୍ଜାମ ଓ କେନ୍ଦୁଝରରୁ ୨ ଜଣ ଲେଖାଏ , ଦେବଗଡ଼, ଯାଜପୁର, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା।

ବାତ୍ୟା ୟାସକୁ ଦୃଷ୍ଟିରେ ରଖି ତିନି ଜିଲ୍ଲାରେ ଟିକାକରଣ, ଟେଷ୍ଟିଂକୁ ବନ୍ଦ କରାଯାଇଛି। ଗତକାଲିଠୁ ଆସନ୍ତା ୨୭ ତାରିଖ ଯାଏ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖାଯାଇଛି। ସେହିପରି କରୋନା ଟେଷ୍ଟିଂ ବି ଏହି ତିନି ଜିଲ୍ଲାରେ ବନ୍ଦ ରହିଛି। ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ରାଜ୍ୟରେ ଗତକାଲି ଦୈନିକ କରୋନା ସଂକ୍ରମଣ ହାରରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଜି ପୁଣି ସଂକ୍ରମଣ ହାର ବଢ଼ିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୧,୬୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୬୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟସ ୫୧୧୪ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୯୮ ଓ ସୁନ୍ଦରଗଡ଼ରୁ ୬୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

Other Stories