ରାଜ୍ୟରେ ଆଉ ୩୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୨୪ ଘଣ୍ଟାରେ ୯,୫୪୧ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ। ଆଜିର ମୃତ୍ୟୁ ସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୭୧୯କୁ ବୃଦ୍ଧି ପାଇଛି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, କଳହାଣ୍ଡି, ନବରଙ୍ଗପୁର ଓ ସୁନ୍ଦରଗଡ଼ରୁ ଜିଲ୍ଲାରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋ‍ଇଛି। ସେହିପରି କଟକ, ଦେବଗଡ଼, ଗଜପତି, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଲେଖାଏଁ ଏବଂ ଗଞ୍ଜାମ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋ‍ଇଛି ।

ଅନ୍ୟପକ୍ଷରେ ରାଜ୍ୟରେ ୨୪ ଘଣ୍ଟାରେ ୯ ହଜାର ୫୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୯,୫୪୧ ମଧ୍ୟରୁ କ୍ୱାରେଣ୍ଟିନରୁ ୫,୩୪୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪,୧୯୮ ରହିଛି। ଆଜି ଖୋର୍ଦ୍ଧାରେ ସର୍ବାଧିକ ୧୩୪୨ ପଜିଟିଭ ଚିହ୍ନଟ ହୋ‍ଇଥିବା ବେଳେ କଟକରୁ ୭୧୬ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫୬୨, ବାଲେଶ୍ୱରରୁ ୩୦୨, ବରଗଡ଼ରୁ ୨୮୪, ଭଦ୍ରକରୁ ୪୬୪, ବଲାଙ୍ଗିରରୁ ୧୦୧, ବୌଦ୍ଧରୁ ୧୭୭, ଦେବଗଡ଼ରୁ ୬୧, ଢେଙ୍କାନାଳରୁ ୧୧୭, ଗଜପତିରୁ ୬୯, ଗଞ୍ଜାମରୁ ୧୫୦, ଯାଜପୁରରୁ ୪୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ୨୯୯, ଝାରସୁଗୁଡ଼ାରୁ ୧୪୦, କଳାହାଣ୍ଡିରୁ ୩୧୫, ମାଲକାନଗିରିରୁ ୧୨୩, ମୟୂରଭଂଜରୁ ୬୯୫, ନବରଙ୍ଗପୁରରୁ ୨୫୪, ନୟାଗଡ଼ରୁ ୨୩୦, ନୂଆପଡ଼ାରୁ ୫୦, ପୁରୀରୁ ୫୨୮, ରାୟଗଡ଼ାରୁ ୧୬୪, ସମ୍ବଲପୁରରୁ ୨୨୯, ସୋନପୁରରୁ ୨୪୫, ସୁନ୍ଦରଗଡ଼ରୁ ୫୯୫, ଷ୍ଟେଟପୁଲରୁ ୨୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ୍ ୯୫ ହଜାର ୨୬୬ ରହିଥିବା ବେଳେ ସୁସ୍ଥ ହେଲେଣି ୬,୫୮,୬୪୬ ଜଣ। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪କୁ ବୃଦ୍ଧି ପାଇଛି।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଚାଲିଥିବା ଦୁଇ ଦିନିଆ ସପ୍ତାହାନ୍ତ ସଟଡାଉନର ଆଜି ଦ୍ୱିତୀୟ ଦିନ। ଆଜି ମଧ୍ୟ ବନ୍ଦ ରହିବ ଦୋକାନ ବଜାର। ରାଜ୍ୟରେ ଦୈନିକ ସଂକ୍ରମଣ ଉପରେ ବ୍ରେକ୍ ଲଗାଇବା ପାଇଁ ପ୍ରତି ସପ୍ତାହର ଶେଷ ଦୁଇ ଦିନ ଶନି ଓ ରବିବାର ସଟଡାଉନ କରାଯାଉଛି। ଫଳରେ ଏହି ଦୁଇ ଦିନ ସମସ୍ତ ଦୋକାନ ବଜାର ବନ୍ଦ ରହୁଛି। ସେପଟେ ଗତ ୫ ତାରିଖରୁ ଚାଲିଥିବା ଲକଡାଉନ୍ ଅବଧିକୁ ଜୁନ୍ ୧ ତାରିଖ ଯାଏଁ ବଢାଇ ଦିଆଯାଇଛି। ଏହା ସହିତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟକୁ ୬ରୁ ୪ ଘଣ୍ଟାକୁ ହ୍ରାସ କରାଯାଇଛି। ଏଣିକି ଲକଡାଉନ୍ ଅବଧିରେ କେବଳ ସକାଳ ୭ଟାରୁ ଦିନ ୧୧ଟା ଭିତରେ ଜରୁରୀ ଜିନିଷ କିଣିବାକୁ ଅନୁମତି ରହିଛି । ଲୋକଙ୍କ ଆତଯାତ ବନ୍ଦକରିବା ଓ ଭିଡ଼କୁ ନିୟନ୍ତ୍ରଣ କରି ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । କେବଳ ମେଡିକାଲ ଓ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ଆତଯାତ ଉପରରେ କଟକଣା ଲଗାଯାଇଛି।

You might also like