ମହାନଦୀ ଜଳ ବିବାଦର ଟ୍ରିବ୍ୟୁନାଲକୁ ପୂରିବ ୩ ବର୍ଷ, କେବେ ବାହାରିବ ନିଷ୍କର୍ଷ?

ଭୁବନେଶ୍ୱର: ମାର୍ଚ୍ଚ ୧୨, ୨୦୧୮ରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହେଲା। ଏହାକୁ ଆସନ୍ତାକାଲି ତିନି ବର୍ଷ ପୂରିବ। ହେଲେ ଏପର୍ଯ୍ୟନ୍ତ ସମାଧାନର ରାସ୍ତା ବାହାରି ପାରିନାହିଁ। ବିବାଦ ଯେଉଁଠି ଥିଲା ଏବେ ବି ସେଇଠି। ସେପଟେ ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ଓଡ଼ିଶା ଉପରେ ଜବରଦସ୍ତ ପ୍ରଭାବ ପଡ଼ିଛି। ହୀରାକୁଦ ଉପରମୁଣ୍ଡରେ ଥିବା କଲ୍‌ମା ବ୍ୟାରେଜ୍‌ରେ ଲହଡ଼ି ଭାଙ୍ଗୁଛି ପାଣି। ତଳମୁଣ୍ଡରେ କିନ୍ତୁ ସ୍ଥିତି ସାଙ୍ଘାତିକ ଅବସ୍ଥା। ଟୋପାଏ ବି ପାଣି ନାହିଁ ସବୁଆଡେ କେବଳ ବାଲି ଆଉ ବାଲି। ହୀରାକୁଦ ତଳମୁଣ୍ଡ ସମ୍ବଲପୁରରେ ମହାନଦୀର ନଦୀଶଯ୍ୟା ଶୁଖି ପଥର ଦେଖାଗଲାଣି। ଯେଉଁଠି ବି ପାଣି ଅଛି ଖୁବ୍ କମ୍ ପରିମାଣର।

ସମ୍ବଲପୁର ତଳକୁ ଇଏ ସୁବର୍ଣ୍ଣପୁରରେ ମହାନଦୀର ଚିତ୍ର ଧାର ଶୁଖି ଯିବା ପରେ ଦେଖାଯାଉଛି କେବଳ ବାଲି ଆଉ ପଥର। ନଈକୂଳିଆ ଲୋକଙ୍କ ଜୀବନ ଜୀବିକା ପୁରା ପ୍ରଭାବିତ। ଓଡ଼ିଶା ହାଇଡ୍ରୋ ପାଓ୍ୱାର କର୍ପୋରସେନ୍‌ର ତଥ୍ୟ ଅନୁସାରେ ଗତବର୍ଷ ମାର୍ଚ୍ଚ ୧୦ରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୦୨ ଫୁଟ୍ ଥିଲା। ତେବେ ଚଳିତ ବର୍ଷ ଏହି ସମୟରେ ଅର୍ଥାତ୍‌ ଗତକାଲି ଜଳସ୍ତର ଥିଲା ୬୧୭.୦୮ଫୁଟ୍ ମାନେ ପ୍ରାୟ ୭ ଫୁଟ୍ ଜଳପତ୍ତନ କମ୍ ରହିଛି।

ମହାନଦୀ ବିବାଦକୁ ନେଇ ବିଜେଡି ସେତେବେଳେ ବେଶ୍ ତମ୍ବି ତୋଫାନ କରିଥିଲା। କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ବିରୋଧରେ ଗାଁରୁ ଦିଲ୍ଲୀ ପର୍ଯ୍ୟନ୍ତ ଗର୍ଜନ କରିଥିଲା। ତେବେ ବର୍ତ୍ତମାନର ସ୍ଥିତି ଦେଖିଲେ ଲାଗୁଛି, ଯେମିତି ମହାନଦୀ ବିବାଦକୁ ଭୁଲି ଗଲାଣି ଦଳ। ଟ୍ରିବ୍ୟୁନାଲ ଆଳରେ ଏବେ ପୁରା ନିରବ। ଏହାଭିତରେ ମହାନଦୀ ଟ୍ରିବ୍ୟୁନାଲରେ ୧୯ ଥର ଶୁଣାଣି ହୋଇଥିଲେ ବି ମଧ୍ୟବର୍ତ୍ତୀକାଳୀନ ରାୟ ବି ଆସିନି କି ଆପୋଷ ବୁଝାମଣା ବି ହୋଇପାରିନି, ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି।

ମହାନଦୀ ଆନ୍ତଃରାଜ୍ୟ ଜଳ ବିବାଦ ଆଇନ୍-୧୯୫୬ ଅନୁସାରେ ଯଦି ବିବାଦର ସମାଧାନ ତିନି ବର୍ଷ ଭିତରେ ନହୁଏ ତେବେ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଆଉ ଦୁଇ ବର୍ଷ ବଢିବ। ତେଣୁ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ବଢ଼ିବାର ସମ୍ଭାବନା ରହିଛି। ହେଲେ ବିବାଦର ସମାଧାନ କେବେ ହେବ ତା ଉତ୍ତର କାହା ପାଖରେ ନାହିଁ।

ରିପୋର୍ଟ: ସଂଜୟ ଜେନା, ରବୀନ୍ଦ୍ର ହୋତା, ହରିହର ଚାନ୍ଦ
You might also like