ତାମ୍ପରା ଉପରେ କାହାର ନଜର ? ଦୁର୍ଘଟଣା ପରେ ଦୁର୍ଘଟଣା ନେଉଛି ଜୀବନ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପରାରେ ଆଜି ତିନି ତିନିଟି ଦୁର୍ଘଟଣା ଘଟିଛି। ସବୁଠାରୁ ବଡ଼ କଥା, ଏହି ଦୁର୍ଘଟଣା ସବୁ ମାତ୍ର କିଛି ଘଣ୍ଟାର ବ୍ୟବଧାନ ଓ ୫୦୦ ମିଟର ଦୂରତାରେ ହିଁ ହୋଇଛି।

ପ୍ରଥମେ ଆଜି ସକାଳେ ତାମ୍ପରା ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଗ୍ୟାସ୍‌ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବରପାଇ ପୋଲିସ୍‌ ଭ୍ୟାନ୍‌ରେ ୫ ଜଣ ପୋଲିସ କର୍ମଚାରୀ ଦୁର୍ଘଟଣାସ୍ଥଳକୁ ଯାଉଥିଲେ। ତେବେ ଦୁର୍ଘଟଣାସ୍ଥଳଠାରୁ ଅଳ୍ପ କିଛି ବାଟ ଦୂରରେ ଜଣେ ସାଇକେଲ୍ ଆରୋହୀଙ୍କୁ ସାଇଡ୍ ଦେବାକୁ ଯାଇ ପୋଲିସ୍‌ ଭ୍ୟାନ୍‌ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଫଳରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୪ ଜଣଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି।

ଏହାପରେ ଅପରାହ୍ଣରେ ଛତ୍ରପୁର ନିକଟ ଏନ୍ଏଚ୍ ୧୬ରେ ଏକ ଟ୍ରକ୍‌ ଓଲଟି ପଡ଼ିଥିଲା। ରାସ୍ତା କଡ଼ରେ ପାର୍କିଂ କରୁଥିବା ବେଳେ ଟ୍ରକ୍‌ଟି ଓଲଟି ପଡ଼ିଥିଲା।  ଫଳରେ ଘଟଣାସ୍ଥଳରେ ହିଁ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ସକାଳେ ଗ୍ୟାସ୍‌ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିବା କିଛି ଦୂରରେ ଏହି ଅଘଟଣ ଘଟିଥିଲା।

ଅନ୍ୟପକ୍ଷରେ, ଛତ୍ରପୁର ନିକଟରେ ଓଲଟିଥିବା ଗ୍ୟାସ୍ ଟ୍ୟାଙ୍କର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏକ ବିଶେଷଜ୍ଞ ଟିମ୍ ପହଞ୍ଚି ଟ୍ୟାଙ୍କରରୁ ଗ୍ୟାସ୍ ବାହାର କରିବା ସହ ଏହାକୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ପୁରା ଅଞ୍ଚଳକୁ ଖାଲି କରାଯିବା ସହ ଯେପରି ସାଧାରଣଲୋକ କେହିବି ସେହି ସ୍ଥାନକୁ ପହଞ୍ଚିବେନି ସେ ନେଇ ବ୍ୟବସ୍ଥା ହୋଇଛି।

ଟ୍ୟାଙ୍କରରୁ କିଛି ମାତ୍ରାରେ ଗ୍ୟାସ୍ ଲିକ୍ ହେଉଛି, ତେଣୁ ଏହାକୁ ରୋକିବାକୁ ପାଣି ସିଞ୍ଚନ କରାଯାଉଛି। ଏହାସହ ଜାତୀୟ ରାଜପଥରେ ଗାଡ଼ି ଚଳାଚଳକୁ ସାମୁହିକ ଭାବେ ବନ୍ଦ କରାଯାଇଛି। ଛତ୍ରପୁର ସହରର ବିଦ୍ୟୁତ୍‌ ସଂଯୋଗକୁ କାଟି ଦିଆଯାଇଛି। ଯେହେତୁ ଟ୍ୟାଙ୍କର ଇନ୍ଧନ ଗ୍ୟାସ୍ ରହିଛି ସେ ନେଇ ଛତ୍ରପୁର ଓ ଆଖପାଖ ଲୋକଙ୍କୁ ଏଦିଗରେ ସତର୍କ ଓ ସଚେତନ କରାଯାଇଛି। ଅଗ୍ନିଶମ, ପୋଲିସ୍ ଏବଂ ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।

You might also like