ଭୁବନେଶ୍ୱର : ଉଚ୍ଚଶିକ୍ଷାର ମାନବୃଦ୍ଧି ଲାଗି ବ୍ଲୁ-ପ୍ରିଣ୍ଟ । ଏଥିଲାଗି ଶିକ୍ଷା ବ୍ୟବସ୍ଥାରେ ଅଣାଯିବ ସଂସ୍କାର। ଉଚ୍ଚଶିକ୍ଷା ପରିଷଦର ଉଚ୍ଚସ୍ତରୀୟ ବୈଠକରେ ଅାଜି ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁୟାୟୀ ଏଣିକି ସାରା ରାଜ୍ୟରେ ଯୁକ୍ତ ତିନି ପାଇଁ ଲାଗୁ ହେବ ଏକକ ପାଠ୍ୟକ୍ରମ।
ସେହିପରି ପିଜି ଅାଡ୍ମିଶନ ଲାଗି ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଷ୍ଟୁଡେଣ୍ଟସ ଏକାଡେମିକ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ-ସାମ୍ସ ଏହି ପ୍ରବେଶିକା ପରୀକ୍ଷା ପରିଚାଳନା କରିବ। ସାରା ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଗୋଟିଏ ମାନଦଣ୍ଡରେ ତଉଲିବା ଲାଗି ଏହି ବ୍ୟବସ୍ଥା କରାଯାଇଛି।
ଶିକ୍ଷାକୁ ନିଯୁକ୍ତି ଭିତ୍ତିକ କରିବା, ଜାତୀୟସ୍ତରର ପ୍ରତିଯୋଗିତାମୂଳକ ପରୀକ୍ଷାରେ ରାଜ୍ୟର ଛାତ୍ରଛାତ୍ରୀ ଯେମିତି ଭଲ କରିବେ, ଉଚ୍ଚତର ଗବେଷଣା ଓ ସର୍ବୋପରି ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଲାଗି ନବଗଠିତ ଉଚ୍ଚଶିକ୍ଷା ପରିଷଦ ଏହିସବୁ ସଂସ୍କାର ଅାଣିବାକୁ ସ୍ଥିର କରିଛି।
ଅାଜିର ବୈଠକରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୂଳପତି, ପିଜି କାଉନ୍ସିଲ୍ ଚେୟାର୍ମ୍ୟାନ୍ ଓ ପରୀକ୍ଷା ନିୟନ୍ତ୍ରକ ଉପସ୍ଥିତ ଥିଲେ।
ସେପଟେ ଏକକ ପିଜି ପ୍ରବେଶିକା ଲାଗି ଯୁକ୍ତ ତିନିରେ ଅତି କମ୍ରେ ୪୫ ପ୍ରତିଶତ ମାର୍କ ରଖିବାକୁ ପଡିବ। ଉତ୍କଳ ବିଶ୍ୱବିଦ୍ୟାଳୟ କଳା, ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିଜ୍ଞାନ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କମର୍ସ ବିଭାଗର ପ୍ରବେଶିକା ପରୀକ୍ଷା ପରିଚାଳନା କରିବ।
ଅାଗକୁ ଯୁକ୍ତି ତିନିରେ କିଛି ନୂଅା କୋର୍ସ ଖୋଲିବା ଲାଗି ଯୋଜନା ରହିଛି। ଏସବୁ ପାଠ୍ୟକ୍ରମ ଲାଗି ବିଦେଶୀ ଗେଷ୍ଟ ଫାକଲ୍ଟିଙ୍କ ଦ୍ୱାରା ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଟ୍ରେନିଂ ଦିଅାଯିବ। ସେହିପରି ଅାସନ୍ତା ମାସ ସୁଦ୍ଧା ଯୁକ୍ତ ତିନି ପାଠ୍ୟକ୍ରମର ରୂପରେଖ ଚୂଡାନ୍ତ ହେବ।