ଭୋକ ଉପାସରେ ବାପାମା’ ଛେଉଣ୍ଡ ତିନି ଅନାଥ ଶିଶୁ
ଦାଉ ସାଜିଲା ଦଇବ । ହାତ ଧରାଧରି ହୋଇ ଚାଲିଗଲେ ବାପାମା’ । ସରକାର ଆମକୁ ସାହାଯ୍ୟ କର . . .
କାମାକ୍ଷାନଗର (ରିପୋର୍ଟ ବିଦ୍ୟାଧର ବରାଳ ) – ବିଧାତାର ତାଡ଼ନାରେ ଛେଉଣ୍ଡ ହୋଇଗଲେ ତିନି ଭାଇଭଉଣୀ । ମୁଣ୍ଡ ଉପରେ ନାହିଁ ମା’ର ସ୍ନେହବୋଳା ପଣତକାନି କି ଦୁଷ୍ଟାମୀ କଲେ, କିମ୍ବା ପାଠ ନପଢ଼ିଲେ ଆକଟ କରିବାକୁ ବାପା ନାହାନ୍ତି । ଜୀବନ କ’ଣ ଜାଣିବା ପୂର୍ବରୁ ବାପାମା’ ହାତ ଧରାଧରି ହୋଇ ଚାଲିଗଲେ । କଥାରେ ଅଛି ଯାର ବାପାମା ନାହିଁ, ତା’ର ଦୁନିଆରେ କେହି ନାହିଁ । ବିଚିତ୍ର ସ୍ରଷ୍ଟାଙ୍କ ଏହି ବିଚିତ୍ର ସୃଷ୍ଟିରେ ବେସାହାରା ହୋଇଗଲେ ତିନି କୁନି ନିଷ୍ପାପ ଶିଶୁ । ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ କି ପେଟ ପୂରାଇ ଖାଇବାକୁ ଦାନା ମୁଠେ ନାହିଁ । ଆହା ପଦେ କହିବାକୁ ପାଖରେ କେହି ନାହିଁ । ଏତେ ବଡ଼ ଦୁନିଆରେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ଛେଉଣ୍ଡ ଅନାଥ ଶିଶୁ । ଏପରି ଦୁର୍ଦ୍ଦିନରେ ସରକାରଙ୍କୁ କୋହଭରା କଣ୍ଠରେ ସାହାଯ୍ୟ କରିବାକୁ ଆକୁଳ ନିବେଦନ କରିଛନ୍ତି ତିନି ଭାଇଭଉଣୀ ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ପଞ୍ଚାୟତର ଗାଙ୍ଗୀଯୋଡି ଗାଁ । ଗାଁର ହରିଜନ ସାହିର ତିନି ଅନାଥ ଶିଶୁ କ୍ରାନ୍ତି ,ରାଜେଶ ଏବଂ ପ୍ରିୟଙ୍କା । ସ୍ଲେଟ ,ଖଡ଼ି ଏବଂ କଲମ ଧରି ଭବିଷ୍ୟତ ଗଢିବା ବୟସରେ ବଞ୍ଚିବାର ରାହା ଖୋଜୁଛନ୍ତି । ତିନି ବର୍ଷ ତଳେ କିଡନୀ ରୋଗୀରେ ମୃତ୍ୟୁ ବରଣ କରିଥିଲେ ଏହି କୋମଳମତି ନିରୀହ ଛୁଆ ମାନଙ୍କର ବାପା । ମାଆ ମୂଲଚାଲ କରି ଛୁଆଙ୍କୁ ମଣିଷ କରିବା ପାଇଁ ଅଣ୍ଟା ଭିଡିଥିଲା । ହେଲେ ତାହା ବି ସହିଲାନି ଦଇବ, ସବୁ କିଛି ଓଲଟପାଲଟ କରିଲା । ଆଜିକୁ ବର୍ଷେ ତଳେ ଜଣ୍ଡିସ ରୋଗରେ ମାଆ ଜୀବନ ହାରିଲା । ନିମିଷକେ ମଧ୍ୟରେ ସବୁକିଛି ଅନ୍ଧାର ହୋଇଗଲା । ବାପାମା’ ଛାଡ଼ି ଚାଲିଗଲା ପରେ ଏହି ତିନି ନିରୀହ ନିଷ୍ପାପ ଶିଶୁ ଏବେ ସର୍ବହରା ।
ଏପରି ଅବସ୍ଥାରେ ତିନି ଅନାଥ ଶିଶୁଙ୍କର ଦୁଃଖ ସହ୍ୟ କରି ପାରିଲେ ନାହିଁ ଅଜାଆଈ । ତୁରନ୍ତ ସେମାନଙ୍କୁ ପରଜଙ୍ଗ ବ୍ଲକ ରୋଡ଼ ଗାଁକୁ ନେଇ ଆସିଲେ ଅଜା ଜମ୍ବେଶ୍ଵର ନାଏକ ଏବଂ ଆଈ କୁନି ନାଏକ । ଅଜା ଜମ୍ବେଶ୍ଵର ନାଏକ ଦଉଡି ବଟି ଗାଁ ଗାଁ ବୁଲି ତାହା ବିକ୍ରୟ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରନ୍ତି । ତେବେ ବୟସର ଅପରାହ୍ନରେ ନିଜେ ଚଳିବା ପାଇଁ ରାହା ଖୋଜୁଥିବା ତିନି ତିନିଟା ନାତି ନାତୁଣୀକୁ ନେଇ ପରିବାର ଚଳାଇବା ତାଙ୍କ ପକ୍ଷେ ବହୁ କଷ୍ଟକର ହୋଇ ପଡ଼ିଲା । ଶେଷରେ ଅନ୍ୟ ଉପାୟ ନପାଇ ଆଈ କୁନି ନାଏକ ଜଙ୍ଗଲକୁ ଯାଇ କିଛି କାଠ ଆଣି ତାକୁ ବିକ୍ରୟ କରି ଦୈନନ୍ଦିନ ଜୀବନର ଚାହା ଚିନି ଖର୍ଚ୍ଚକୁ ତୁଲାଉଛନ୍ତି । ହେଲେ ସମୁଦ୍ରକୁ ଶଙ୍ଖେ ପରି ଏତିକିରେ ପାଞ୍ଚ ପ୍ରାଣୀ କୁଟୁମ୍ବର ପେଟ ଭରୁନି ।
ଓଳିଏ ଖାଇ ଓଲିଏ ଉପାସ ରହି ଅଜା ଆଈଙ୍କ ପାଖରେ ରହୁଥିବା ଏହି ତିନି ନିରୀହ ନିଷ୍ପାପ ଶିଶୁ ଜାଣିପାରୁ ନାହାନାହାନ୍ତି ଅଜା ଆଈଙ୍କ ଦୁଃଖ । ସରକାର ଆମକୁ ସାହାଯ୍ୟ କର, ନହେଲେ ମରିବୁ କିମ୍ବା ଭିକ ମାଗିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ବାପାମା’ ଛେଉଣ୍ଡ ଶିଶୁ ।
ଏଣୁ କୁନି ଶିଶୁଙ୍କ ଜୀବନରେ ଆସିଥିବା ଏହି ଅଭିଶପ୍ତ ସମୟରେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେଇ ସରକାରୀ ଯୋଜନାରେ ସାମିଲ କରିବାକୁ ସାଧାରଣରେ ଦାବି କରାଯାଇଛି ।