ଦୁର୍ନୀତି ପାଇଁ ବିଦା ହେଲେ ୩ ପୁଲିସ ଅଫିସର

ଭୁବନେଶ୍ୱର: କ୍ଷମତାର ଦୁରୂପଯୋଗ ପାଇଁ ୩ ପୁଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେମାନେ ହେଲେ ସବଇନ୍‌ସପେକ୍ଟର୍ ବନମାଳୀ ନାୟକ, ସବଇନ୍‌ସପେକ୍ଟର୍ କିଶୋର କୁମାର ବାଗ ଏବଂ ସବଇନ୍ସପେକ୍ଟର ବୀରବର ଲେଙ୍କା।

କ୍ଷମତାର ଦୁରୂପଯୋଗ ନେଇ ଏମାନଙ୍କୁ ଅବସର ଦିଆଯାଇଥିବା ଟ୍ୱିଟ୍ ମାଧ୍ୟମରେ ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ସର୍ଭିସ କୋର୍ଡର ରୁଲ୍- ୭୧ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଟ୍ୱିଟରରେ ଉଲ୍ଲେଖ ରହିଛି।

ଖୋର୍ଦ୍ଧା SPଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ SI ବନମାଳୀ ନାୟକଙ୍କ ଚାକିରି ଆହୁରି ୪ ବର୍ଷ ବାକି ଥିବା ସତ୍ତ୍ୱେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଖୋର୍ଦ୍ଧା ଏସ୍‌ପି ଗତକାଲି ସୂଚନା ଦେଇଥିଲେ।

ସବ୍ଇନ୍‌ସପେକ୍ଟର ବନମାଳୀ ପୁରୀ ଓ ଖୋର୍ଦ୍ଧାରେ କାର୍ଯ୍ୟରତ ଥିବା ବେଳେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ତାଙ୍କ ନାଁରେ ମାମଲା ଥିବାରୁ ସେ ପୁଲିସ ବିଭାଗରେ କାର୍ଯ୍ୟକରିବା ପାଇଁ ବିଶ୍ୱସନୀୟତା ହରାଇଥିବା ଦର୍ଶାଇ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସେହିପରି ନୟାଗଡ଼ ପୁଲିସର ୨ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ନୟାଗଡ଼ର ଏଏସ୍ଆଇ ଅପର୍ତ୍ତି ସାହୁ। ଦୁର୍ଘଟଣାଗ୍ରସ୍ତ ଏକ ଗାଡ଼ି ସଂପର୍କରେ ଭୁଲ୍ ତଥ୍ୟ ଦେବାକୁ ନେଇ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି। ସେପଟେ  ଲୋକ ସମ୍ପର୍କ ଠିକ୍ ନ ଥିବା ଆଧାରରେ ନିଲମ୍ବିତ ହୋଇଛନ୍ତି ଦର୍ପନାରାୟଣପୁର ଫାଣ୍ଡି କନଷ୍ଟେବଳ ଅଚ୍ୟୁତ ପ୍ରଧାନ।

 

You might also like