୩ ମାସ ଯାଏ କୋହଳ ହେଲା ନୂଆ ଟ୍ରାଫିକ୍ ନିୟମ

ଭୁବନେଶ୍ୱର: ନୂଆ ସଂଶୋଧିତ ମୋଟର ଯାନ ଆଇନକୁ ଲାଗୁ ହେବା ପରଠାରୁ ମାତ୍ରାଧିକ ଫାଇନ ଆଦାୟକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ୁଥିବା ତୀବ୍ର ଆକ୍ରୋଶକୁ ଦେଖି ସରକାର ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ଏହି ସଂଶୋଧିତ ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ ନକରି ଆସନ୍ତା ୩ମାସ ପର୍ଯ୍ୟନ୍ତ କହୋଳ କରିଛନ୍ତି ରାଜ୍ୟ ସରକାର। ଏହି ତିନିମାସରେ ଆବଶ୍ୟକ ଭିତ୍ତିଭୂମି ସୁଧାର ଓ ଲୋକଙ୍କୁ ଟ୍ରାଫିକ ଆଇନ ଉଲ୍ଲଘଂନର ପରିଣତି ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏନେଇ ପରିବହନ ବିଭାଗ ଓ ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ ଅନୁସାରେ ସଂଶୋଧିତ ମୋଟର ଯାନ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ, ବିଶେଷକରି ଭୁବନେଶ୍ୱରରେ ଲୋକଙ୍କ ଆକ୍ରୋଶରେ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଟ୍ରାଫିକ ଉଲ୍ଲଘଂନ କରୁଥିବା ଲୋକଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିବା ପରିବର୍ତ୍ତେ ସେମାନଙ୍କୁ ସଂଶୋଧିତ ମୋଟର ଯାନର ପ୍ରାବଧାନ ସମ୍ପର୍କରେ ବୁଝାସୁଝା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହିତ ଲୋକଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ଅଧିକ ସଂଖ୍ୟକ କାଉଣ୍ଟର ଖୋଲିବା, ଆରଟିଓ କାର୍ଯ୍ୟାଳୟଗୁଡ଼ିକର ସେବା କେନ୍ଦ୍ରକୁ ଅଧିକ ସୁଦୃଢ଼ କରିବା, ସାବର୍ଜନୀନ ପ୍ରତିଷ୍ଠାନଗୁଡ଼ିକରେ ଶିବିର ଆୟୋଜନ କରି ମୋଟରଯାନ ବ୍ୟବହାରକାରୀଙ୍କୁ ଆବଶ୍ୟକ ଦସ୍ତାବିଜ ଉପଲବ୍ଧ କରାଇବା ଦିଗରେ ସହଯୋଗ ନିମନ୍ତେ ପରିବହନ ବିଭାଗକୁ ନିର୍ଦ୍ଦେଶ ଜାରି ହୋଇଛି।

ଲୋକଙ୍କୁ ସେମାନଙ୍କର ଗାଡ଼ି ଦସ୍ତାବିଜ ଅଥବା ସଂଶୋଧିତ ମୋଟରଯାନ ଆଇନ ଅନୁରୂପ ଦସ୍ତାବିଜ ପ୍ରସ୍ତୁତ ନିମନ୍ତେ ପର୍ଯ୍ୟାପ୍ତ ସମୟ ଦେବା ପାଇଁ ଆସନ୍ତା ୩ମାସ ପର୍ଯ୍ୟନ୍ତ କୋହଳ ଆଭିମୁଖ୍ୟ ପୋଷଣ କରିବାକୁ ଉଭୟ ପରିବହନ ଓ ପୁଲିସ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାଫିକ ଆଇନକୁ ପାଳନ ଓ ବିପଦଜ୍ଜନକ ଗାଡ଼ିଚାଳନାରୁ ବିରତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ମୋଟର ଯାନ ବ୍ୟବହାରକାରୀଙ୍କୁ ଅନୁରୋଧ କରିଛନ୍ତି।

You might also like