ଘରକୁ ଫେରୁଥିଲେ, ପଛପଟୁ ବାଜିଲା ଗୁଳି: ରାସ୍ତାରେ ଟଳି ପଡ଼ିଲେ ବ୍ୟବସାୟୀ
ଉମରକୋଟରେ ଟି. ସଂଜୀବ ସୁବୁଦ୍ଧି ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼
ବ୍ୟବସାୟୀଙ୍କ ଅଣ୍ଟାରେ ବାଜିଛି ଗୁଳି
ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର
ବ୍ୟାଙ୍କ ସମ୍ମୁଖରେ ବାଇକ୍ ଧରି ଠିଆ ହୋଇଥିବା ବେଳେ ଗୁଳିମାଡ଼
ଗୁଳିମାଡ଼ କରି ଘଟଣାସ୍ଥଳରୁ ୩ ଦୁର୍ବୃତ୍ତ ଫେରାର, କାରଣ ଅସ୍ପଷ୍ଟ
ଉମରକୋଟ(କାର୍ତ୍ତିକ ମଲ୍ଲିକ): ଉମରକୋଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଅଭିଯୋଗ । ଗୁଳିମାଡର ଶିକାର ହୋଇଥିବା ବ୍ୟବସାୟୀ ଜଣକ ହେଉଛନ୍ତି ଟି. ସଂଜୀବ ସୁବୁଦ୍ଧି। ତାଙ୍କ ଅଣ୍ଟାରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ସଂଜୀବ ପିଏନବି ଶାଖା ଆଗରେ ବାଇକ୍ ଧରି ଠିଆ ହୋଇଥିବା ବେଳେ ଗୁଳିମାଡ଼ ହୋଇଥିଲା । ୩ ଜଣ ଦୁର୍ବୃତ୍ତ ଫାୟାରିଂ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗୁଳିକାଣ୍ଡର କାରଣ ଜଣାପଡି ନଥିବା ବେଳେ ଉମରକୋଟ ପୋଲିସ ଘଟଣାର ତଦନ୍ତ ଚଳାଇଛି ।
ବ୍ୟବସାୟୀଙ୍କୁ ଗୁଳିମାଡ଼ ଅଭିଯୋଗ। ଗୁଳିମାଡର ଶିକାର ହୋଇଥିବା ବ୍ୟବସାୟୀ ଜଣକ ହେଉଛନ୍ତି ଟି. ସଂଜୀବ ସୁବୁଦ୍ଧି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି #Umerkote #Odisha pic.twitter.com/ENToUgUPZE
— ଓଟିଭି (@otvkhabar) March 13, 2021
ସୂଚନାଯୋଗ୍ୟ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ପଛପଟୁ ଆକ୍ରମଣ କରିଥିଲେ ଓ ଗୁଳି କରିଥିଲେ । ଘଟଣାସ୍ଥଳରେ ଟଳିପଡ଼ିଥିଲେ ଟି. ସଂଜୀବ ସୁବୁଦ୍ଧି । ପ୍ରାୟ ୯ ଟା ବେଳକୁ ବାଇକରେ ଝରିଗାଁ ରାସ୍ତାରେ ଫେରୁଥିବା ବେଳେ ଏପରି ଅଘଟଣ ଘଟିଥିଲା। ଗୁଳି ଫୁଟିବା ଶବ୍ଦ ଶୁଣି ସେଠାରେ ଥିବା କିଛି ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ପ୍ରଥମେ ଉମରକୋଟ ମେଡ଼ିକାଲ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। କାରଣ ୧୫ ଦିନ ପୂର୍ବରୁ ମଧ୍ୟ ସଂପୃକ୍ତ ବ୍ୟବସାୟୀଙ୍କୁ ମୁଖାପିନ୍ଧା କିଛି ଲୋକ ଅଟକାଇଥିଲେ। ତିନି ଜଣଙ୍କ ଉପରେ ସନ୍ଦେହ ହେଉଥିବା କହିଛନ୍ତି ବ୍ୟବସାୟୀ।