ସ୍ତ୍ରୀ ଓ ଝିଅକୁ ବିଷ ଦେବା ପରେ ନିଜେ ପିଇଦେଲା !

ବରଗଡ଼: ଘରୋଇ କଳିର କରୁଣ ପରିଣତି। ବିଷ ପିଇଦେଲେ ବାପା, ମାଆ ଝିଅ। ଆଉ ଚାଲିଗଲା ୨ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବିଜେପୁର ବେନିଆଚାଲ ଗାଁରେ।

ଘଟଣାରୁ ପ୍ରକାଶ, ଆଜି କୌଣସି କଥାକୁ ନେଇ ଏହି ଗାଁର ରଥ ମହାନନ୍ଦ(୪୫)ଙ୍କ ପରିବାରରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରଥ ପରିବାର ଲୋକଙ୍କୁ ବିଷ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ରଥ ନିଜେ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି।

ଫଳରେ ରଥ, ତାଙ୍କ ସ୍ତ୍ରୀ, ୧୨ ବର୍ଷର ଝିଅ ଗୁରୁତର ହୋଇ ପଡ଼ିଥିଲେ। ପଡ଼ୋଶୀମାନେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ରଥ ଓ ତାଙ୍କ ୧୨ ବର୍ଷର ଝିଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ରଥଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।

You might also like