ବାଇକ୍‌ରେ ଯାଉଥିଲେ ପିଟିଦେଲା ଟ୍ରକ୍‌; ସ୍ୱାମୀସ୍ତ୍ରୀ ମୃତ, ୮ ବର୍ଷର ଝିଅ ଗୁରୁତର

ଯାଜପୁର/ଆନନ୍ଦପୁର: ରାଜ୍ୟରେ ଆଜି ୨ଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦମ୍ପତି ଓ ଅନ୍ୟ ଜଣେ ଟ୍ରକ୍‌ ମାଲିକ ଅଛନ୍ତି। ଦୁର୍ଘଟଣାରେ ୮ ବର୍ଷର ଝିଅ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ NH-୧୬ ନେଉଳପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କର ୮ ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ସେମାନେ ଆଜି ବାଇକ୍‌ରେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରେ ଏକ ଟ୍ରକ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟ ହୋଇ ଥିବାବେଳେ ଗୁରୁତର ଅବସ୍ଥାରେ ସ୍ୱାମୀ ଓ ଝିଅକୁ ମେଡିକାଲ୍‌ ନେବା ବାଟରେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ହୋଇଥିବା ୮ବର୍ଷର ଝିଅକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତାହତ କରଞ୍ଜିଆ ଅଞ୍ଚଳର ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷେ, ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ କିଛି ସମୟ ପାଇଁ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଖବର ପାଇ ଧର୍ମଶାଳା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ପୋଲିସ୍‌ର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସେହିପରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ତହସିଲ ଅନ୍ତର୍ଗତ ଆମ୍ବୋ ବାଲିଘାଟରେ ଏକ ଅଭାବନୀୟ ଘଟଣା ଘଟିଛି। ବାଲିଘାଟରେ ଟ୍ରକ୍ ଚଢ଼ି ଯିବାରୁ ଟ୍ରକ୍ ମାଲିକଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ଶାହାଜାନ ନାମକ ଜଣେ ବ୍ୟକ୍ତି ବାଲି ଲୋଡିଂ କରିବା ପାଇଁ ଟ୍ରକ୍‌ ନେଇ ବାଲିଘାଟ ଯାଇଥିଲେ। ବାଲିଘାଟରେ ଅନ୍ୟ ଗାଡ଼ି ସବୁ ଜାମ୍‌ ଥିବାରୁ ସେ ଗାଡ଼ିରୁ ଓହ୍ଲାଇ ଥିଲେ। ଏହି ସମୟରେ ଅନ୍ୟ ଏକ ଗାଡ଼ି ବ୍ୟାକ୍‌ କରୁଥିବା ବେଳେ ଗାଡ଼ିଟି ଶାହାଜାନଙ୍କ ଉପରେ ଚଢ଼ି ଯାଇଥିଲା। ଶାହାଜାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲିଘାଟରେ ଲିଜ୍‌ଧାରୀ ଶୃଙ୍ଖଳିତ ଭାବରେ ବାଲି ଲୋଡ଼ିଂ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।

You might also like