ହାତୀ ସହ ମୁହାଁମୁହିଁ; ଗଲାଣି ୩ ଜୀବନ

ତାଳଚେର/ଢେଙ୍କାନାଳ/ ସୁନ୍ଦରଗଡ଼:  ଢେଙ୍କାନାଳ, ତାଳଚେର ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ବଢିବାରେ ଲାଗିଛି। ସହର ମୁହାଁ ହୋଇଛନ୍ତି ହାତୀ। ଫଳରେ ହାତୀ ସହ ମୁହାଁମୁହିଁ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ବୃଦ୍ଧ ଓ ଜଣେ ପିଲା ଅଛନ୍ତି ।

ତାଳଚେରର ଦେଉଳବେଡ଼ା ଅଞ୍ଚଳରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି। ସହର ଭିତରକୁ ହାତୀ ପଶି ଆସିବା ସହ ଲୋକଙ୍କୁ ଆକ୍ରମଣ କରିଛି। ସ୍ଥାନୀୟ ଅଞ୍ଚଳର ଜଣେ ବୃଦ୍ଧ ହାତୀ ହାବୁଡରେ ପଡ଼ି ପ୍ରାଣ ହରାଇଛନ୍ତି। ମୃତକ ସ୍ଥାନୀୟ ଅଞ୍ଚଳର କେଦାରନାଥ ପ୍ରସାଦ ବୋଲି ଜଣାପଡ଼ିଛି। ଗତ ୨୮ ତାରିଖରୁ ତାଳଚେର ଅଞ୍ଚଳରେ ଦୁଇଟି ଦନ୍ତାହାତୀ ପଶି ଆତଙ୍କ ଖେଳାଇଥିଲେ। ଖବର ପାଇ ବନ ବିଭାଗ ସମେତ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛି।

ଅନ୍ୟପଟେ ଢେଙ୍କାନାଳରେ ମଧ୍ୟ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସହର ନିକଟସ୍ଥ ଗୁଡ଼ଇାକାଟେଣୀ ଗାଁରେ ହାତୀପଲ ପଶି ଆସିଛନ୍ତି।  ହାତୀପଲଙ୍କ ଆକ୍ରମଣରେ ଉକ୍ତ ଗାଁର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏହାସହ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି। ହାତୀପଲଙ୍କୁ ଘଉଡ଼ାଇବା ସହ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ଲୋକେ ଦାବି କରିଛନ୍ତି।  ଉତ୍ତ୍ୟକ୍ତ ଲୋକେ ଏନ୍ଏଚ୍-୫୫ ଅବରୋଧ କରିଛନ୍ତି।

ସୁନ୍ଦରଗଡ଼ ବ୍ଲକ ବଣାଇରେ ଗତକାଲି ବିଲମ୍ବିତ ରାତିରେ ଗାଁ ଭିତରେ ହାତୀ  ପଶିଥିଲା। ଏହା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ହାତୀ ପଶି ଆସି ଏକ ଘର କାନ୍ଥ ଭାଙ୍ଗି ଦେଇଥିବା ଯୋଗୁ ଜଣେ ୭ ବର୍ଷର ଶିଶୁର ମୃତ୍ୟୁ ହୋଇଛି। କାନ୍ଥ ପଡ଼ି ଯିବାରୁ ଶିଶୁଟି ଗୁରୁତର ଆହତ ହୋଇଥିଲା। ତାପରେ ଶିଶୁକୁ ମେଡିକାଲ୍ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି।

 

 

You might also like