‘ଜଣକ ପରେ ଜଣେ ବୁଡି ଯାଉଥିଲେ…ଆଖି ବୁଜିଲେ ଦିଶି ଯାଉଛି ସେ ହୃଦୟଥରା ଦୃଶ୍ୟ’

ବାଲେଶ୍ୱର: ଆଖି ସାମ୍ନାରେ ଦେଖୁ ଦେଖୁ ଭାସିଗଲେ ୩ ସାଙ୍ଗ।  ନା ଉଦ୍ଧାର କରିହେଲା ନା ବଞ୍ଚାଇହେଲା ସାଙ୍ଗଙ୍କ ଜୀବନ। ପାଣିରେ ଖେଳୁ ଖେଳୁ ହାତ ଧରା ଧରି ହୋଇ ଚାଲିଗଲେ ଜଣେ ଜଣେ ହୋଇ ୩ ସାଙ୍ଗ।

ବାଲେଶ୍ୱର ତ୍ରିବେଣୀ ଘାଟ ଟ୍ରାଜେଡିରେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଅଘଟଣର କିଛି ସମୟ ପୂର୍ବର ଭିଡିଓ ଏବଂ ଫଟୋ ଏବେ ସାମ୍ନାକୁ ଆସିଛି।

ସୋମବାର ନୀଳଗିରିର ୫ ଜଣ ବନ୍ଧୁ ସାଙ୍ଗହୋଇ ତ୍ରିବେଣୀ ଘାଟକୁ ଗାଧୋଇବାକୁ ଯାଇଥିଲେ। କିଛି ନଦୀ ଭିତରେ ଗାଧୋଉଥିଲେ, ଆଉ ଜଣେ ବାହାରେ ରହି ଏହି ସମୟର ଭିଡିଓ ବି ନେଉଥିଲେ। ବେଶ୍ ଖୁସିରେ ଗାଧୋଇବାର ମଜା ନେଉଥିଲେ ସାଙ୍ଗମାନେ।

ଏହି ସମୟରେ ଜଣକ ପରେ ଜଣେ ୩ ଜଣ ସାଙ୍ଗ ବୁଡ଼ିବାରେ ଲାଗିଲେ। ଏମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଦୁଇ ସାଙ୍ଗ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇପାରିନଥିଲା। ସେମାନେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ସତ। କିନ୍ତୁ ସେହି ଲୋମଟାଙ୍କୁରା ଘଟଣାକୁ ଭୁଲି ପାରୁନାହାଁନ୍ତି ।

ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ରଂଜନ ସଲ କହିଛନ୍ତି, ‘ମନ ଖୁସିରେ ସମସ୍ତେ ଗାଧଉଥିଲୁ। ମୁଁ ମୋବାଇଲ ଥୋଇବା ପାଇଁ ଉପରକୁ ଗଲାବେଳକୁ ସେମାନଙ୍କ ଚିତ୍କାର ଶୁଣିଲି। ସାଙ୍ଗମାନେ ବୁଡ଼ି ଯାଉଥିବା ଦେଖି ମୁଁ ପାଣିକୁ ଡେଇଁପଡ଼ିଲି।  ଅନେକ ଚେଷ୍ଟାକଲି। ହେଲେ ବଞ୍ଚାଇ ପାରିଲିନି।  ଚାହିଁଛି, ଆଖି ଆଗରେ ଜଣକ ପରେ ଜଣେ ଚାଲିଗଲେ..।’

କ୍ଷଣିକରେ ସବୁ ଖୁସି ପାଣିଫୋଟକା ପରି ମିଳେଇଗଲା। ନଦୀଗର୍ଭରେ ସବୁଦିନ ପାଇଁ ହଜିଗଲେ ତିନି ସାଙ୍ଗ। ଆଖି ବୁଜିଦେଲେ ଦିଶି ଯାଉଛି ସେଇ ହୃଦୟଥରା ଦୃଶ୍ୟ ।

You might also like