୩ ଡାକ୍ତରଙ୍କ ସହ ୧୯ ଜଣ ନର୍ସ ରହିଲେ କ୍ୱାରେଣ୍ଟିନରେ

ଭୁବନେଶ୍ୱର: କ୍ୱାରେଣ୍ଟିନ୍‌ରେ ଗଲେ ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର। ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି॥ ଡାକ୍ତରଙ୍କ ସହ ୧୯ ଜଣ ନର୍ସଙ୍କୁ ବି କ୍ୱାରେଣ୍ଟିନରେ ରଖାଯାଇଛି। କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏମାନଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି।

ସେ କହିଛନ୍ତି,“ ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା ପାଞ୍ଚ ଜଣ କରୋନା ଆକ୍ରାନ୍ତ କିଛି ଦିନ ପୂର୍ବେ ବିଭିନ୍ନ ହସ୍‌ପିଟାଲକୁ ଆସିଥିଲେ। ସେମାନେ ସେଠାରେ କିଛି ଡାକ୍ତର ଓ ନର୍ସମାନଙ୍କ ସଂସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ କାଳରେ ତାହା ଜଣାପଡ଼ିବା ପରେ ଗତକାଲି ରାତିରେ ତିନି ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ  ଯାଜପୁରର କୋଭିଡ୍‌ କେୟାର ହସପିଟାଲରେ କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ହୋମ୍‌ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି।”

ସୂଚନାଯୋଗ୍ୟ, ଗତକାଲି ଯାଜପୁର ଜିଲ୍ଲାରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କୋରେଇରୁ ଜଣେ, ଯାଜପୁରରୁ ୩ ଓ ଦଶରଥପୁରରୁ ଜଣେ ଆକ୍ରାନ୍ତ  ଚିହ୍ନଟ ହୋଇଥିଲେ। ସେମାନେ ସମସ୍ତେ କୋଲକାତା ବଡ଼ବଜାର ଅଞ୍ଚଳରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ସେମାନେ ଅନ୍ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି।

You might also like