ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ୫ ଯବାନ ସହିଦ୍

ମାଲକାନଗିରି: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୫ ଯବାନ ସହିଦ୍ ହୋଇଛନ୍ତି। ଛତିଶଗଡ଼ ନାରାୟଣପୁର ଜିଲ୍ଲା କୋଡେନାର ଜଙ୍ଗଲରେ ବିସ୍ଫୋରଣ ହୋଇଛି। DRG ଯବାନଙ୍କୁ ବସ୍‌ରେ ନେଇ ଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା। ବସ୍‌ରେ ଥିବା ଅନ୍ୟ ୨୧ ଯବାନ ଆହତ ହୋଇଛନ୍ତି। ଏଥିରେ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଏହି ଘଟଣା ଅପରାହ୍ନ ୩ଟାରୁ ୪ଟା ସମୟ ମଧ୍ୟରେ ଘଟିଛି। ତେବେ ମାଓବାଦୀ ଲୁଚିଥିବା ନେଇ ପୋଲିସ୍‌କୁ ସୂଚନା ମିଳିଥିଲା। ଏଥିପାଇଁ ୨୫ରୁ ଅଧିକ ଯବାନ ଅପରେସନ୍‌ରୁ ଯାଇ ଫେରୁଥିଲେ। ଫେରିବା ସମୟରେ ମାଟି ତଳେ ପୋତାଯାଇଥିବା ଲ୍ୟାଣ୍ଡମାଇନ୍‌ ଫାଟିଯାଇଥିଲା।  ଫଳରେ ବସ୍‌ଟି ୨୦ରୁ ୩୦ ଫୁଟ ଉପରକୁ ଉଡ଼ିଯାଇଥିଲା।

ଛତିଶଗଡ଼ ଡିଜିପି ଡିଏମ ଅବସ୍ତୀ କହିଛନ୍ତି, ଯବାନମାନେ ନକ୍ସଲ ବିରୋଧୀ ଅପରେସନ ସାରି ଫେରୁଥିବା ବେଳେ ଏପରି ହମଲା ହୋଇଛି। ଏଥିରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଖୁବଶୀଘ୍ର ବିସ୍ତୃତ ସୂଚନା ଆସିବ ବୋଲି ସେ କହିଛନ୍ତି।

କିଛି ଦିନ ତଳେ କନ୍ଧମାଳରେ ମାଓ ମୁକାବିଲା ପୋଲିସ ଡିଜି ଅଭୟ ସମୀକ୍ଷା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ମୁଖ୍ୟସ୍ରୋତକୁ ଆସନ୍ତୁ, ଉନ୍ନୟନ କାମରେ ବାଧା ସୃଷ୍ଟି କରନ୍ତୁନି। ଓଡ଼ିଶାରେ ନକ୍ସଲ ପ୍ରଭାବ ପୂର୍ବ ଅପେକ୍ଷା ବହୁ ପରିମାଣରେ କମିଛି। ମୋଟ ନକ୍ସଲଙ୍କ ମଧ୍ୟରୁ ଓଡ଼ିଶାରେ ଏବେ ମାତ୍ର ୧୦% ରହିଛନ୍ତି। ସେମାନଙ୍କୁ ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତକୁ ଆସନ୍ତୁ ବୋଲି ଡିଜିପି ଆହ୍ୱାନ ଦେଇଥିଲେ।

You might also like