ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ୟୁକେ ଷ୍ଟ୍ରେନ୍

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ୟୁକେ ଷ୍ଟ୍ରେନ୍ ରହିଛି। ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନେସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍.କେ ସିଂହ କହିଛନ୍ତି, ୧୮ଟି ରାଜ୍ୟରୁ ମୋଟ ୭୭୧ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି।୭୭୧ରୁ ୭୩୬ଟି ହେଉଛି ୟୁକେ ଷ୍ଟ୍ରେନ୍।

ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ମୋଟ ୭୩୬ ୟୁକେ ଷ୍ଟ୍ରେନ୍ ଭିତରୁ ଓଡ଼ିଶାରୁ ୩ଟି ଥିବା ସୂଚନା ମିଳିଛି। ସର୍ବାଧିକ ୩୩୬ ୟୁକେ ଷ୍ଟ୍ରେନ୍ ପଞ୍ଜାବରୁ ଚିହ୍ନଟ ହୋଇଥିବା ଉଲ୍ଲେଖ ରହିଛି।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଜି ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି। ଦୀର୍ଘମାସ ପରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ଏମାନଙ୍କ ମଧ୍ୟରୁ ୯୯ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୭୧ ଲୋକାଲ କେସ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଗତକାଲି ରାଜ୍ୟରୁ ୧୧୩ ଜଣ କରୋନା ଚିହ୍ନଟ ହୋଇଥିବାବେଳେ ଆଜି ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୦ ନୂଆ ସଂକ୍ରମିତ।

ସେପଟେ କରୋନା ସଂକ୍ରମଣର ନୂଆ ହଟସ୍ପଟ ପାଲଟିଛି ମହାରାଷ୍ଟ୍ର ଓ ପଞ୍ଜାବ । ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଉଦବେଗଜନକ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବର୍ତ୍ତମାନ ମହାରାଷ୍ଟ୍ର ଏବଂ ପଞ୍ଜାବ ସ୍ଥିତି ଚିନ୍ତାଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ହିଁ ନୂଆ ୨୪ ହଜାର କେସ୍ ମିଳିଥିବା ସୂଚନା ମିଳିଛି ।

ସଂକ୍ରମଣ ମାମଲା ହଠାତ ବୃଦ୍ଧି ପାଇବାରୁ ସର୍ବସାଧାରଣ ସ୍ଥାନ ମାନଙ୍କରେ ହୋଲି ଖେଳିବାକୁ ଅନୁମତି ଦିଆଯିବ ନାହିଁ ବୋଲି ବିଏମସି ଗାଇଡ଼ଲାଇନ୍ ଜାରି କରିଛି । ଆଇନ୍ ଉଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

You might also like