ନଦୀରେ ବୁଡ଼ିଗଲେ ୩ ଶିଶୁ

ଉମରକୋଟ: ତେଲ ନଦୀରେ ବୁଡ଼ି ୩ ଶିଶୁଙ୍କ ସଳିଳ ସମାଧି। ନବରଙ୍ଗପୁର ଉମରକୋଟ ତୋହରା କୋଟଲ ଡିହି ଗାଁରୁ ଆସିଛି ଏହି ମର୍ମନ୍ତୁଦ ଖବର। ଗାଧୋଇବାକୁ ଯାଇ ନଦୀରେ ୩ ଶିଶୁ ବୁଡ଼ିଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଝିଅ ଏବଂ ଜଣେ ପୁଅ ରହିଛନ୍ତି। ମୃତ ୩ ଶିଶୁଙ୍କ ବୟସ ୪ରୁ ୬ ବର୍ଷ ମଧ୍ୟରେ ହେବ। ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ଉକ୍ତ ଗ୍ରାମର ଅମି ସାନ୍ତାଙ୍କ ୬ ବର୍ଷର ଝିଅ ରଶ୍ମିତା ସାନ୍ତା, ରଘୁରାମ ସାନ୍ତାଙ୍କ ୫ ବର୍ଷର ଝିଅ ଶାନ୍ତି ସାନ୍ତା ଏବଂ ବୁଦ୍ଧୁ ସାନ୍ତାଙ୍କ ୪ ବର୍ଷର ପୁଅ ଦଶରଥ ସାନ୍ତା ସାଙ୍ଗ ହୋଇ ଆଜି ସକାଳେ ଗ୍ରାମ ନିକଟ ଦେଇ ଯାଇଥିବା ତେଲ ନଦୀରେ ଗାଧୋଇବାକୁ ଯାଇଥିଲେ।

ସେଠାରେ ଗାଧୋଇବା ସମୟରେ ହଠାତ୍ ଗଭୀର ପାଣି ମଧ୍ୟରେ ପଶିଯାଇଥିଲେ। ପରିବାର ଲୋକ ଏବଂ ଗ୍ରାମବାସୀ ବହୁ ସମୟ ଧରି ଖୋଜା ଖୋଜି କରିବା ପରେ ମଧ୍ୟ ନପାଇବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଖବର ପାଇ ଉମରକୋଟ ଅଗ୍ନିଶମ ବାହିନୀ ଉକ୍ତ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହଯୋଗରେ ମୃତଦେହଗୁଡିକୁ ଉଦ୍ଧାର କରିଥିଲେ।

You might also like