ମହଙ୍ଗା ପଡ଼ିଲା ଚପଲ ଫିଙ୍ଗା: ୩ ବିଧାୟକ ହେଲେ ସସ୍ପେଣ୍ଡ
ଚପଲ ଫିଙ୍ଗିଲା ପରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଗୃହରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ମହଙ୍ଗା ପଡ଼ିଲା। ବିଜେପିର ୩ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି। ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ସସପେଣ୍ଡ୍ ହୋଇଛନ୍ତି। ବିଜେପିର ୩ ବିଧାୟକଙ୍କୁ ବିଧାନସଭାର ଚଳିତ ଅଧିବେଶନରୁ ସସ୍ପେଣ୍ଡ କରାଯାଇଛି। ବାଚସ୍ପତି ଭିଡିଓ ଫୁଟେଜ୍ ଦେଖିବା ପରେ ନେଇଛନ୍ତି ଏହି କାର୍ଯ୍ୟାନୁଷ୍ଠାନ। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ସେ କହିଛନ୍ତି ଯେ, ହୋ ହା ଲ୍ଲା ମଧ୍ୟରେ ଯେଉଁ ଅଘଟଣ ଆଜି ଘଟିଛି ସେନେଇ କାର୍ଯ୍ୟାନୁଷ୍ଠାନ ନେଇ ଆମ ଦଳର ତିନି ବିଧାୟକଙ୍କୁ ସସପେଣ୍ଡ କରାଯାଇଛି। ଗୃହରେ ଯେଉଁ ଘଟଣା ଘଟିଲା ତାହାକୁ ନେଇ ଆମେ କ୍ଷମା ମାଗିବାକୁ ପ୍ରସ୍ତୁତ ଥିଲୁ, କିନ୍ତୁ ଆମକୁ ପକ୍ଷ ରଖିବାକୁ ଦେଲେ ନାହିଁ କି ମୋ କଥା ଶୁଣିଲେ ନାହିଁ ବୋଲି ପ୍ରଦୀପ୍ତ କହିଛନ୍ତି। ଆମକୁ ନ୍ୟାୟ ମିଳିଲାନାହିଁ, ତେଣୁ ଆମେ ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣା ଦେବୁ ବୋଲି ବିରୋଧୀ ଦଳ ନେତା କହିଛନ୍ତି।
ଏହାସହ ସସପେଣ୍ଡ ହୋଇଥିବା ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହି ଘଟଣା କାହିଁକି ଘଟିଲା ତାହା ଉପରେ ବିଚାର କରିବା ଦରକାର। ବାଚସ୍ପତି ନିଜ ମନଇଚ୍ଛାରେ ଗୃହ ଚଳାଇବାକୁ ଚାହୁଁଛନ୍ତି, ସମ୍ବିଧାନକୁ ମାନୁନାହାନ୍ତି। ତେଣୁ ସେଥିପାଇଁ ଏମିତି ପ୍ରତିବାଦର ସ୍ୱର ଆସିଲା ବୋଲି ଜୟନାରାୟଣ କହିଛନ୍ତି। ନିୟମ ଅନୁସାରେ ଯେତେବେଳେ କୌଣସି ବିଲ ଗୃହରେ ପାସ ହୁଏ ସେହି ସମୟରେ ବିଧାୟକମାନେ ନିଜ ମତ ରଖିପାରିବେ। କିନ୍ତୁ ବିରୋଧୀ ଦଳ ନେତା ଛିଡ଼ା ହେଲେ କହିବାକୁ କିନ୍ତୁ ତାଙ୍କୁ ବି ସୁଯୋଗ ଦିଆଗଲା ନାହିଁ। ଯଦି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କଲେ ସସ୍ପେଣ୍ଡ ହେବାକୁ ପଡ଼ିବ। ତେବେ ଏପରି ସସପେଣ୍ଡକୁ ମୁଁ ସ୍ୱାଗତ କରୁଛି ବୋଲି ଜୟନାରାୟଣ କହିଛନ୍ତି।
ସେପଟେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ମୋହନ ମାଝୀ। ସେ କହିଛନ୍ତି ଯେ, ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ବାଚସ୍ପତି। ଗୃହରେ ବିନା ଆଲୋଚନାରେ ଜୋରଜବରଦସ୍ତି ବିଲ୍ ପାସ କରାଇଛନ୍ତି ବାଚସ୍ପତି। ତେଣୁ ଏହାକୁ ଆମେ ବିରୋଧ କରି ୱେଲକୁ ଯାଇ ପାଟି କରିବାରୁ ତାହାକୁ ବେସକୁ ନେଇ ଆମକୁ ସସପେଣ୍ଡ କରିଛନ୍ତି। ମୁଁ ସେମିତି କିଛି କାଣ୍ଡ କରିନାହିଁ। ଏ ସସପେଣ୍ଡକୁ ମୁଁ ସ୍ୱାଗତ କରୁଛି ବୋଲି ମୋହନ କହିଛନ୍ତି। ଚପଲ ମୁଁ ଫୋପାଡ଼ି ନାହିଁ କି କିଏ ଫୋପାଡ଼ିଲା ତାହା ଜାଣିନାହିଁ ବୋଲି ମୋହନ କହିଛନ୍ତି।
ବାଚସ୍ପତିଙ୍କୁ ଜୋତା ଫିଙ୍ଗିବା ଘଟଣା: ୩ ବିଧାୟକ ହେଲେ ସସପେଣ୍ଡ, ଜାଣନ୍ତୁ ଆଉ କି କି କାର୍ଯ୍ୟାନୁଷ୍ଠାନ ହେଲା ଏହି ବିଧାୟକଙ୍କ ଉପରେ…#Odisha #BJP #OdishaAssembly #OTV pic.twitter.com/5W7zVK4G3m
— ଓଟିଭି (@otvkhabar) April 3, 2021