ଗାଁ ଦାଣ୍ଡରେ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ, ବନ୍ଧା ହେଲେ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା କୋର ଗାଁରେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ ମାରିବା ଘଟଣାରେ ନିକିରାଇ ପୋଲିସ ୩ ଜଣଙ୍କୁ ଗିରଫ୍ କରିଛି l ଗିରଫ୍ ବ୍ୟକ୍ତି ମାନେ ହେଲେ ଶରତ ଚନ୍ଦ୍ର ନାୟକ, ତାଙ୍କ ପୁଅ ମୁନା ନାୟକ ଓ ନିରଞ୍ଜନ ନାୟକ l ପୀଡିତା ମହିଳାଙ୍କ ମାମୁଁଙ୍କ ଏତଲା ଆଧାରରେ ତଦନ୍ତ କରି ପୋଲିସ ଏହି ୩  ଅଭିଯୁକ୍ତଙ୍କୁ ଗିରଫ କରିଛି l

ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ୮ ଜଣଙ୍କ ବିରୋଧରେ ପୀଡ଼ିତାଙ୍କ ମାମୁଁ ଏତଲା ଦେଇଥିଲେ l ଗିରଫ୍ ହୋଇଥିବା ସମସ୍ତ ଅଭିଯୁକ୍ତ ପୀଡିତା ସୁଚିସ୍ମିତାଙ୍କ ସ୍ୱାମୀ ଜିତେନ୍ଦ୍ର ପ୍ରଧାନଙ୍କ ମାମୁଁ ଘର ଲୋକ।

ମିଳିଥିବା ସୂଚନା ଅନୁସାରେ, ସୁଚିସ୍ମିତା ଓ ତାଙ୍କ ସଂପର୍କୀୟଙ୍କ ପରିବାର ଭିତରେ ଦୀର୍ଘଦିନ ଧରି ପାରିବାରିକ ବିବାଦ ଲାଗି ରହିଥିଲା । ଗତ ୨ ତାରିଖ ଶୁକ୍ରବାର ଅପରାହ୍ନରେ ପୂର୍ବ ଘଟଣାକୁ ନେଇ ଉଭୟ ପରିବାର ଭିତରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା।  ସୁଚିସ୍ମିତାଙ୍କୁ ତାଙ୍କ ସ୍ୱାମୀଙ୍କ ମାମୁଁ ଘର ଲୋକେ ମରଣାନ୍ତକ ଆକ୍ରମଣ କରିଥିଲେ।  ଗାଁ ଦାଣ୍ଡରେ ଉଲଗ୍ନ କରି ଏକ ବାଉଁଶରେ ସୁଚିସ୍ମିତାଙ୍କୁ ମାଡ ମାରିଥିଲ । ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା ।

ଏଠି କହିରଖିବୁ, ସୁଚିସ୍ମିତାଙ୍କୁ ତାଙ୍କ ଶାଶୂଘର ଲୋକେ ଯୌତୁକ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କ ବାପାମା’ଙ୍କୁ ମଧ୍ୟ ନିର୍ଯାତନା ଦେଉଥିଲେ। ଏ ନେଇ ସୁଚିସ୍ମିତା ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ।   ପୀଡିତାଙ୍କ କହିବା ଅନୁଯାୟୀ, ଏହି ମାମଲାକୁ ନେଇ ସେମାନେ ତାଙ୍କ ଉପରକୁ ଏପରି ଅମାନୁଷିକ ଆକ୍ରମଣ କରିଛନ୍ତି। ଏପରିକି ମାଡ ମାରିବା ସମୟରେ ତାଙ୍କର ସୁନାଚେନ, କାନଫୁଲ, ହାତରେ ପିନ୍ଧିଥିବା ସୁନା ଚୂଡି ଏବଂ ମୋବାଇଲ ଶାଶୂଘର ଲୋକେ ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଆକ୍ରମଣ ଘଟଣାକୁ ନେଇ ଏବେ ଉଭୟ ପକ୍ଷଙ୍କ ତରଫରୁ ନିକିରାଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ୨୪ ଘଣ୍ଟା ଭିତରେ ଗିରଫ୍ କରାଯିବ ବୋଲି ପୋଲିସ କହିଛି।

You might also like