• translate
Rajalaxmi Sahoo

ଅନୁଗୁଳ(ବିରଜା ପ୍ରସାଦ ଦାସ): ଚାକିରି କରାଇ ଦେବା ନାଁରେ ଠକି ନେଲେ ହଜାର ହଜାର ଟଙ୍କା। ନା ଦେଲେ କୌଣସି ନିଯୁକ୍ତି ପତ୍ର ନା ଚାକିରି। ହେଲେ ପୋଲିସ୍‌ ହାତରେ ଏହି ଠକମାନେ ଧରାପଡ଼ିଛନ୍ତି।ଠକେଇ ଅଭିଯୋଗରେ ଅନୁଗୁଳ ପୋଲିସ୍‌ ରାଜକିଶୋରପଡ଼ାର ରଞ୍ଜନ କୁମାର ତ୍ରିପାଠୀ, ତାଙ୍କ ସ୍ତ୍ରୀ ମିତାଲି ତ୍ରିପାଠୀ ଏବଂ ରେଙ୍ଗାଳି ଅଞ୍ଚଳର ରଞ୍ଜନ କୁମାର ସାହୁଙ୍କୁ ଗିରଫ କରିଛି।

ପୋଲିସ୍‌ ସୂଚନା ଅନୁଯାୟୀ, ଗତବର୍ଷ ଡିସେମ୍ବର ୫ରେ ରାଜ୍ୟର କିଛି ଶିଳ୍ପାଞ୍ଚଳରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରି ଥିଲା। ବିଜ୍ଞାପନ ଦେଖି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପି. ଧର୍ମା ରାଓ ତାଙ୍କ ପୁଅ ପାଇଁ ଆବେଦନ କରିବା ସହ ବିଜ୍ଞାପନରେ ଦିଆଯାଇଥିବା ଇ-ମେଲ୍‌କୁ ଆବେଦନ ଫର୍ମ ପଠାଇଥିଲେ। ଆବେଦନ ଫର୍ମ ପଠାଇବାର କିଛି ସମୟ ପରେ ଏକ ମୋବାଇଲ ନମ୍ବରରୁ ତାଙ୍କ ପାଖକୁ ଏକ ନମ୍ବରରୁ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ଜଣକ ପଞ୍ଜୀକରଣ ପାଇଁ ୫୨ ହଜାର ଟଙ୍କା ଦେବାକୁ ହେବ ବୋଲି କହିବା ସହ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ ପାଇଁ କହି ଆକାଉଣ୍ଟ ନମ୍ବର ଦେଇଥିଲେ। ତେଣୁ ପୁଅର ଚାକିରି ପାଇଁ ଚିନ୍ତିତ ଥିବା ଧର୍ମା ରାଓ ୫୨ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଡ଼ିପୋଜିଟ କରିଥିଲେ।

ଟଙ୍କା ପଠାଇବା ପରେ ଧର୍ମା ରାଓ ନିଯୁକ୍ତି ପତ୍ର ମାଗିଥିଲେ ମଧ୍ୟ ଠକମାନେ ଫୋନ୍‌ ରିସିଭ୍‌ କରିନଥିଲେ। କିଛି ଦିନ ପରେ ଠକମାନେ ପୁଣି ଧର୍ମା ରାଓଙ୍କୁ କଲ୍‌ କରିଥିଲେ। ନିଯୁକ୍ତି ପତ୍ର ପାଇଁ ସେ ଧର୍ମା ରାଓଙ୍କୁ ପୁଣି ୧୫ ହଜାର ଟଙ୍କା ମାଗିଥିଲେ ଓ ଧର୍ମା ରାଓ ମଧ୍ୟ ଟଙ୍କା ଦେଇଥିଲେ। ନିଯୁକ୍ତି ପତ୍ର ନ ମିଳିବାରୁ ଧର୍ମା ରାଓ ଟଙ୍କା ଫେରସ୍ତ ମାଗିଥିଲେ। ହେଲେ ଟଙ୍କା ଫେରି ପାଇବା ପାଇଁ ପୁଣି ୨ ହଜାର ଟଙ୍କା ଦେବାକୁ ହେବ ବୋଲି ଠକମାନେ କହିଥିଲେ। ୨ ହଜାର ଟଙ୍କା ଡିପୋଜିଟ୍‌ କରିବା ପରେ ମଧ୍ୟ ଠକମାନଙ୍କ ଫୋନ୍‌ ସ୍ୱିଚ୍‌ ଅଫ୍‌ ଆସିଥିଲା। ଫଳରେ ଧର୍ମା ରାଓ ଠକାମିର ଶିକାର ହୋଇଥିବା ଜାଣିବା ପରେ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା।

https://youtu.be/Zw6xHvoT3SU

ଠକେଇ ଅଭିଯୋଗରେ ପୋଲିସ୍‌ ରଞ୍ଜନ କୁମାର ତ୍ରିପାଠୀ, ତାଙ୍କ ସ୍ତ୍ରୀ ମିତାଲି ତ୍ରିପାଠୀ ଏବଂ ରେଙ୍ଗାଳି ଅଞ୍ଚଳର ରଞ୍ଜନ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ନିକଟରୁ ପୋଲିସ୍‌ ୩ଟି ବ୍ୟାଙ୍କ ପାସ୍‌ବୁକ୍‌, ୩ଟି ଏଟିଏମ୍‌ କାର୍ଡ, ୩ଟି ମୋବାଇଲ ଫୋନ୍‌ , ପ୍ୟାନ୍‌ କାର୍ଡ, ଆଧାର କାର୍ଡ ଏବଂ ଗୋଟିଏ ମୋଟରସାଇକେଲ ଜବତ କରିଛି। ଏହି ଘଟଣାରେ ଆଉ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି, ସେନେଇ ପୋଲିସ୍‌ ଖୋଳତାଡ଼ କରୁଛି। 

Other Stories