୨୦ରୁ ଦ୍ୱିତୀୟ କୋରାପୁଟ ସାହିତ୍ୟ ଉତ୍ସବ; ଯୋଗ ଦେବେ ୩୦୦ରୁ ଅଧିକ ଲୋକ

କୋରାପୁଟ: ରାଜ୍ୟର ଜଣାଶୁଣା ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେଉଛି ଦ୍ୱିତୀୟ କୋରାପୁଟ ସାହିତ୍ୟ ଉତ୍ସବ। ଦୁଇଦିନ ଧରି ହେବାକୁ ଥିବା ଉତ୍ସବର ଉଦ୍‌ଘାଟନୀ ସମାରୋହ କୋରାପୁଟର ବ୍ରାଉନ୍‌ ଭାଲି କଫି ଇଷ୍ଟେଟ୍‌ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜନଜାତି ସଂଗ୍ରହାଳୟରେ ଉଦ୍‌ଯାପନୀ ଉତ୍ସବ ହେବ।

ଜମ୍ମୁ ଓ କାଶ୍ମୀରରୁ ଅସୁଥିବା ବରିଷ୍ଠ ଡୋଗ୍ରୀ ଲେଖକ ପ୍ରଫେସର ଲଳିତ ମଙ୍ଗୋତ୍ରା ଉତ୍ସବକୁ ଉଦ୍‌ଘାଟନ କରିବାକୁ ଥିବା ବେଳେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଅତିଥି ଭାବେ ଯୋଗଦେବେ।

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସଂସ୍କୃତି-ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଯାପନୀ ସମାରୋହରେ ଅତିଥି ଭାବେ ଯୋଗଦେବେ। ଏହା ଭିନ୍ନ ଦୁଇ ଦିନ ବ୍ୟାପୀ ଏହି ଜାତୀୟ ଉତ୍ସବର ୧୫ଟି ଅଧିବେଶନରେ ୬୦ରୁ ଅଧିକ ବକ୍ତା ଓ ୪୦ରୁ ଅଧିକ କବି ଯୋଗଦେବାକୁ ଥିବା ବେଳେ ଓଡ଼ିଶା ତଥା ଓଡ଼ିଶା ବାହାରୁ ୩୦୦ରୁ ଅଧିକ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେବେ।

ଉଦ୍‌ଯାପନୀ ସମାରୋହରେ ବିଶିଷ୍ଟ କଥାକାର ଡ.ଗୌରହରି ଦାସ ଓ କବି ବିପିନ୍ ନାୟକଙ୍କୁ ୨ୟ କୋରାପୁଟ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ। ବୋଲି ଆୟୋଜକ ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ଉଭୟ ପ୍ରାପକଙ୍କୁ ମାନପତ୍ର, ସମ୍ମାନ ଫଳକ ସହ ୨୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଏତଦ୍‌ଭିନ୍ନ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୦ ଜଣ ପ୍ରସିଦ୍ଧ ଓ ପ୍ରତିଭାଧର ବ୍ୟକ୍ତିଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯିବ।

କୋରାପୁଟ ସାହିତ୍ୟ ଉତ୍ସବରେ ମୋଟ ୧୫ଟି ଅଧିବେଶନ ରହିଛି। ଉଦଘାଟନୀ ଉତ୍ସବ ଦିନ ୩ଟି ଅଧିବେଶନ ରହିଥିବା ବେଳେ ଦ୍ୱିତୀୟ ଦିନ ୧୨ଟି ଅଧିବେଶନ ଅନୁଷ୍ଠିତ ହେବ। ଏ ଅବସରରେ କୋଟପାଡ଼ ଶାଢ଼ୀକୁ ନେଇ ବହୁ ସମ୍ମାନ ପ୍ରାପ୍ତ ପ୍ରାମାଣିକ ଚଳଚ୍ଚିତ୍ର  ‘କୋଟପାଡ଼ ଉଇଭିଂ’ ପ୍ରଦର୍ଶିତ ହେବ।

ଓଡ଼ିଆ ମିଡିଆ ପକ୍ଷରୁ ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ ଓ ପ୍ରମୁଖ ହେଉଛି କୋରାପୁଟ ସାହିତ୍ୟ ଉତ୍ସବ। ଏତଦ‌୍‌ଭିନ୍ନ ଅନୁଷ୍ଠାନ ଭୁବନେଶ୍ୱର ସାହିତ୍ୟ ଉତ୍ସବ, ଓଡ଼ିଶା ମିଡିଆ କନକ୍ଲେଭ୍, ଓଡ଼ିଶା ଉତ୍କର୍ଷ ସମ୍ମାନ, ଓଡ଼ିଶା ଯୁବ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ ଓ ଭାଷା ଉତ୍ସବ ଭଳି ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ ମାନ ପ୍ରତି ବର୍ଷ ଆୟୋଜନ କରିଥାଏ।

You might also like