ଡିସେମ୍ବରରେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର: ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଓଡ଼ିଶାକୁ ପୁଣି କରୋନା ସଂକ୍ରମଣ ଡର। ଏହି ସମୟ ବେଳକୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଏବେଠୁ ସତର୍କ ରହିବାକୁ ପଡ଼ିବ ବୋଲି କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା ବେଳେ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟରେ ଦ୍ୱିତୀୟ ସଂକ୍ରମଣକୁ ରୋକିବାକୁ ହେଲେ ମାସ୍କ, ସାମାଜିକ ଦୂରତା, ସାନିଟାଇଜେସନ୍ ଆଦି ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଗକୁ ଦୀପାବଳି ଆସୁଥିବାରୁ ଶୃଙ୍ଖଳା ସହ ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଦୀପାବଳି କଟକଣା ତଦାରଖ କରିବାକୁ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲା ଗସ୍ତ ସହ କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କେରଳ ଓ ଦିଲ୍ଲୀର ଉଦାହରଣ ଦେଇ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

କୋଭିଡରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ଉପଯୁକ୍ତ ପ୍ରୋଟୋକଲ ପ୍ରସ୍ତୁତ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।

You might also like