ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ତେବେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଭିନ୍ନ ବୁଥ୍‌ରେ ମତଦାନ ବିଳମ୍ବ ହୋଇଥିବା ସୂଚନା ମିଳିଛି।

ବଲାଙ୍ଗିର ଜିଲ୍ଲା ଲୋଇସିଂହାର କୁରୁଲ ଗାଁର ୨୭୮ ନମ୍ବର ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଛି। ସେହିପରି ଆଗଲପୁର ଗାଁର ୫୧ ନମ୍ବର ବୁଥ୍‌ରେ ମଧ୍ୟ ଇଭିଏମ୍ ଅଚଳ ହୋଇଥିବା ଜଣାପଡ଼ିଛି। ଫଳରେ ଭୋଟରଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି।

କନ୍ଧମାଳ ଜିଲ୍ଲା ଫୁଲ‍ବାଣୀର ବୁଥ୍ ନମ୍ବର ୧୧୩ ଓ ୧୦୧ରେ ଇଭିଏମ୍‌ ଅଚଳ ଯୋଗୁ ମତଦାନ ବିଳମ୍ୱିତ ହୋଇଛି।

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ବୁଥ୍‌ ନମ୍ବର ୬୭ରେ ଇଭିଏମ୍ ଅଚଳ ହୋଇଥିବା ସୂଚନା ଆସିଛି। ଟିଟିଲାଗଡ଼ରୁ ନୂଆ ଇଭିଏମ୍‌ ଆସିବା ପରେ ସେଠାରେ ମତଦାନ ହେବ ବୋଲି ଜଣାପଡ଼ିଛି। ମତଦାନ ପାଇଁ ବୁଥ୍‌ ବାହାରେ ଭୋଟର୍‌ ଅପେକ୍ଷା କରିଛନ୍ତି।

ସୁନ୍ଦରଗଡ଼ ସଦର ଓ ତଳସରାର ଅନେକ ବୁଥ୍‌ରେ ଇଭିଏମ୍ ଅଚଳ ହୋଇଥିବା ବେଳେ ୧୭୧ ନମ୍ବର ବୁଥ୍‌ରେ ଇଭିଏମ୍ କାମ କରୁ ନ ଥିବାରୁ ମତଦାନ ବିଳମ୍ବ ହୋଇଛି। ସେହିପରି ତଳସରାରେ ୨୦୬ ନମ୍ବର ବୁଥ୍‌ରେ ଇଭିଏମ୍ କାମ କରୁ ନ ଥିବା ସୂଚନା ମିଳିଛି। ବଣାଇରେ ୬ଟି ବୁଥ୍‌ରେ ମଧ୍ୟ ମତଦାନ ବିଳମ୍ବ ହୋଇଛି।

ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ଆଜି ୫ଟି ଲୋକସଭା ସହ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏହି ୫ଟି ଲୋକସଭା ଆସନ ହେଲା- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା।

ଆହୁରି ମଧ୍ୟ ପଢ଼ନ୍ତୁ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ

You might also like